ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ବଡକ୍ଷୀର ଗ୍ରାମପଂଚାୟତ ଗୋପପୁର ଗ୍ରାମର କବିତା ବେହେରାଙ୍କ ପରିବାରକୁ ଏକ ଲକ୍ଷ ଟଙ୍କା କ୍ଷତିପୁରଣ ଦିଆଯିବା ନିମନ୍ତେ ଜାତୀୟ ମାନବାଧିକାର କମିସନର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିକଟରେ କଟକ-ଚାନ୍ଦବାଲି ରାସ୍ତା ଦେଇ ନିଶ୍ଚିନ୍ତକୋଇଲି ଥାନା ପୋଲିସ ପେଟ୍ରୋଲିଂ ନିମନ୍ତେ ଯାଉଥିଲେ । ଏହି ସମୟରେ ସ୍ଥାନୀୟ ଗୋପପୁର ଗ୍ରାମର କବିତା ବେହେରାଙ୍କ ନା ବାଳକ ପୁତ୍ର ପଣଷ ପଡିଆ ଛକ ଠାରେ ପୋଲିସ ଗାଡିକୁ ଦେଖି ମାମୁଁ ବୋଲି ସମ୍ବୋଧନ କରିଥିଲେ । ପୋଲିସକୁ ମାମୁଁ ବୋଲି ସମ୍ବୋଧିତ କରିବା ଘଟଣାକୁ ନେଇ ଏଏସଆଇ ଭଗବାନ ସାହୁ ଉତେଜିତ ହୋଇପଡିଥିଲେ । ଶ୍ରୀ ସାହୁ ପୋଲିସ ଭ୍ୟାନକୁ ଫେରାଇ ଆଣି ପଣଷ ପଡିଆ ଛକ ନିକଟରେ ସମ୍ପୃକ୍ତ ନା ବାଳକକୁ ସ୍ପଷ୍ଟ ଦିବାଲୋକରେ ରାସ୍ତା ଉପରେ ଅଟକାଇ ଅତ୍ୟନ୍ତ ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହ ମାଡ ମାରିଥିଲେ । ଏହି ଘଟଣାକୁ ନେଇ ଗ୍ରାମରେ ତୀବ୍ର ଉତେଜନା ପ୍ରକାଶ ପାଇଥିଲା ।
ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଏସମ୍ପର୍କରେ ସମ୍ପୃକ୍ତ ନା ବାଳକର ମାଆ କବିତା ବେହେରା ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ପୋଲିସ ପ୍ରଶାସନ ତରଫରୁ ଏଏସଆଇ ଶ୍ରୀ ସାହୁଙ୍କ ବିରୁଦ୍ଧରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ନ୍ୟାୟ ପାଇବା ନିମନ୍ତେ କବିତା ଜାତୀୟ ମାନବାଧିକାର କମିସନରଙ୍କ ଦ୍ୱାରସ୍ଥ ହୋଇଥିଲେ । ଜାତୀୟ ମାନବାଧିକାର କମିସନର ଏହି ଅଭିଯୋଗର ବିଚାର କରି କ୍ଷତିଗ୍ରସ୍ତ ପରିବାରକୁ ଏକ ଲକ୍ଷ ଟଙ୍କା ୫ ସପ୍ତାହ ମଧ୍ୟରେ କ୍ଷତିପୁରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବାର ଜଣାଯାଇଛି । ଏହି ଘଟଣାଟି ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି ।