Onn 3

କ୍ଷମତାରେ ଥିବା ଶିବସେନାଙ୍କୁ ମୋଦି-ଶାହଙ୍କ ଶିବସେନା କହିଲେ ସଂଜୟ

National & International

ମୁମ୍ବାଇ : ମହାରାଷ୍ଟ୍ରର ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ମଙ୍ଗଳବାର ବିଭିନ୍ନ ଖବରକାଗଜରେ ବିଜ୍ଞାପନ ଜାରି କରିଛି। ଏହି ବିଜ୍ଞାପନରେ ‘ଭାରତ ପାଇଁ ମୋଦୀ, ମହାରାଷ୍ଟ୍ର ପାଇଁ ସିନ୍ଦେ’ ଶୀର୍ଷକ ଉଲ୍ଲେଖ କରାଯାଇଛି, ଯେଉଁଥିରେ ବିଜେପିର ଦେବେନ୍ଦ୍ର ଫଡନାଭିସଙ୍କ ଅପେକ୍ଷା ଏକନାଥ ସିନ୍ଦେଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । କିନ୍ତୁ ଏହି ବିଜ୍ଞାପନରେ ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଫଟୋ ନାହିଁ । ଏହାକୁ ନେଇ ଶିବସେନା (ଉଦ୍ଧବ ଗୋଷ୍ଠୀ) ନେତା ସଂଜୟ ରାଉତ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ଏହି ବିଜ୍ଞାପନ ଉପରେ ପ୍ରତିକ୍ରିୟା ରଖି ସଞ୍ଜୟ ରାଉତ କହିଛନ୍ତି ଯେ ଏହା ହେଉଛି ମୋଦି-ଶାହଙ୍କ ଶିବସେନା । ପୂର୍ବରୁ ତାହା ବାଲାସାହେବଙ୍କ ଶିବସେନା ଥିଲା, କିନ୍ତୁ ଏହି ବିଜ୍ଞାପନରୁ ପ୍ରମାଣିତ ହେଉଛି ଯେ ଏବେ ଏହା ମୋଦି-ଶାହାଙ୍କ ଶିବସେନା। ବିଜ୍ଞାପନରେ ସ୍ୱର୍ଗତ ବାଲାସାହେବ ଠାକରେଙ୍କ ଫଟୋ କେଉଁଠି ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହି ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଫଟୋ ସହ ଶିବସେନାର ଧନୁ-ତୀର ରହିଛି। ଏହି ବିଜ୍ଞାପନରେ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ଏହି ସର୍ଭେ ଅନୁଯାୟୀ ମହାରାଷ୍ଟ୍ରର ୨୬.୧ ପ୍ରତିଶତ ଲୋକ ଏକନାଥ ସିନ୍ଦେଙ୍କୁ ଏବଂ ୨୩.୨ ପ୍ରତିଶତ ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି। ମହାରାଷ୍ଟ୍ରର ୪୯.୩ ପ୍ରତିଶତ ଲୋକ ବିଜେପି-ଶିବସେନା ମେଣ୍ଟ ସରକାର ଦେଖିବାକୁ ଚାହୁଁଥିବା କଥା ବି କୁହାଯାଇଛି ।