Onn 3

ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ହେଲା କାଳ, ଗାଡ଼ି ତଳେ ଯୁବକଙ୍କୁ ଚାପିଦେଲେ ଚାଳକ

National & International

ମିର୍ଜାପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ହେଲା କାଳ। ଗାଡ଼ି ତଳେ ଯୁବକଙ୍କୁ ଚାପିଦେଲେ ଚାଳକ। ମିର୍ଜାପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକଜଣକ ରାଜେଶଧର ଦୁବେ ବୋଲି ଜଣାପଡ଼ିଥିବା ବେଳେ ଘଟଣା ଘଟିବାର ୬ଘଣ୍ଟା‌ ପରେ ପୁଲିସ ଅଭିଯୁକ୍ତ ଗାଡ଼ି ଚାଳକକୁ ଗିରଫ କରିଛି।
ମିଳିଥିବା ସୂଚନା ମୁତାବକ, ରବିବାର ନିଜ ପୁତୁରାର ବିବାହରେ ଯୋଗ ଦେବା ପାଇଁ ଦୁବେ ମିର୍ଜାପୁର ଯାଇଥିଲେ। ସୋମବାର ସକାଳେ ସମସ୍ତ ବିବାହ ରୀତିନୀତି ଶେଷ ହେବା ପରେ ଦୁବେ ଏବଂ ତାଙ୍କ ସହଯୋଗୀ- ଲାଲ ଜୀ ମିଶ୍ରା, ଧିରେନ୍ଦ୍ର କୁମାର ପାଣ୍ଡେ ଏବଂ ଅନ୍ୟମାନେ ଏକ ବୋଲେରୋରେ ଘରକୁ ବାହାରିଥିଲେ। ଅତିଥିମାନଙ୍କୁ ନେବା ଆଣିବା ପାଇଁ ବୋଲେରୋ ବୁକ୍ କରାଯାଇଥିବା ଜଣାପଡ଼ିଛି। ତେବେ କିଛି ବାଟ ଯିବା ପରେ ଦୁବେ ଏବଂ ଗାଡ଼ି ଚାଳକଙ୍କ ମଧ୍ୟରେ ଦେଶର ରାଜନୀତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଦୁବେ ପ୍ରଧାନମନ୍ତ୍ରୀଙ୍କ ସମେତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିବାରୁ ଚାଳକ ରାଗରେ ତାଙ୍କୁ ଗାଡ଼ିରୁ ବାହାର କରି ଦେଇଥିଲେ। ଏହା ପରେ ଦୁବେ କାର ଆଗକୁ ଯାଇ କାରକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ଚାଳକଜଣକ ତାଙ୍କ ଉପ‌ରେ ଗାଡ଼ି ଚଢ଼ାଇ ଦେଇ ପ୍ରାୟ ୨୦ମିଟର ପର୍ଯ୍ୟନ୍ତ ତାଙ୍କୁ ଘୋଷାଡି ନେଇଥିଲା। ଗାଡ଼ିରେ ବସିଥିବା ଅନ୍ୟ ଯାତ୍ରୀ ପାଟି କରିବାରୁ ଚାଳକ ଗାଡ଼ି ଅଟକାଇ ସେଠାରୁ ଫେରାର ହୋଇଯାଇଥିଲା।

ପରେ ଏନେଇ ପୁଲିସରେ ଅଭିଯୋଗ ହେବା ପରେ ସିସିଟିଭି ଯାଞ୍ଚ କରି ୬ଘଣ୍ଟା ମଧ୍ୟରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି।