Iit 1723463571

IIT ମାଡ୍ରାସ ପୁଣି ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ, ଟପ୍‌ ୧୦ରେ JNU

National & International

ପୁଣିଥରେ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ବିବେଚିତ ହୋଇଛି ଆଇଆଇଟି ମାଡ୍ରାସ। ଉଭୟ ସବୁ କ୍ଷେତ୍ର ବା ଓଭରଅଲ କ୍ୟାଟାଗୋରୀ ଓ ଇଞ୍ଜିନିୟରିଂ ବର୍ଗରେ ଆଇଆଇଟି ମାଡ୍ରାସ ୧ନଂରେ ରହିଛି। ଆଜି ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ରାଙ୍କିଙ୍ଗ ଫ୍ରେମୱାର୍କ(ଏନଆଇଆରଏଫ) ୨୦୨୪ ପକ୍ଷରୁ ଜାରି ତାଲିକାରେ ଆଇଆଇଟି ମାଡ୍ରାନ ନମ୍ବର ୧ ସ୍ଥାନରେ ରହିଛି।

ଏହାକୁ ମିଶାଇ କ୍ରମାଗତ ୮ମ ଥର ପାଇଁ ଆଇଆଇଟି ମାଡ୍ରାସ ଇଞ୍ଜିନିୟରିଂ କ୍ଷେତ୍ରରେ ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଛି। ଓଭର ଅଲ କ୍ୟାଟାଗୋରୀ ରାଙ୍କିଙ୍ଗର ଟପ୍‌ ୧୦ରେ ଦେଶର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଜେଏନୟୁ ମଧ୍ୟ ରହିଛି। ଏହି ଶିକ୍ଷାନୁଷ୍ଠାନ ୧୦ ନମ୍ବର ସ୍ଥାନରେ ରହିଛି।

ତେବେ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗରେ ଆଇଆଇଟିଗୁଡ଼ିକର ଦବଦବା ଦେଖିବାକୁ ମିଳିଛି। ଆଇଆଇଟି ମାଡ୍ରାସ ପଛକୁ ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ ସାଇନ୍ସ ଦ୍ୱିତୀୟ ସ୍ଥାନରେ ରହିଛି। ଆଇଆଇଟି ବମ୍ବେ ୩ୟ ସ୍ଥାନରେ, ଆଇଆଇଟି ଦିଲ୍ଲୀ ୪ର୍ଥ ସ୍ଥାନରେ, ଆଇଆଇଟି କାନପୁର ୫ମ ସ୍ଥାନରେ, ୬ଷ୍ଠ ସ୍ଥାନରେ ଆଇଆଇଟି ଖଡ଼ଗପୁର, ୭ମ ସ୍ଥାନରେ ଦିଲ୍ଲୀ ଏମ୍ସ, ଆଇଆଇଟି ଋକୀ ୮ମ ସ୍ଥାନରେ ଓ ଆଇଆଇଟି ଗୁହାଟୀ ୯ମ ଓ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ) ୧୦ମ ସ୍ଥାନରେ ରହିଛି।

ଅନ୍ୟପକ୍ଷରେ ପ୍ରଥମଥର ପାଇଁ ଇଞ୍ଜିନିୟରିଂ ପାଠ୍ୟକ୍ରମର ଟପ ୧୦ ଶିକ୍ଷାନୁଷ୍ଠାନ ଭିତରେ ଆଇଆଇଟି ବାରାଣସୀ ସ୍ଥାନ ପାଇଛି। ଏହି ଶିକ୍ଷାନୁଷ୍ଠାନ ଇଞ୍ଜିନିୟରିଂ ବର୍ଗ ରାଙ୍କିଙ୍ଗର ୧୦ ନମ୍ବର ସ୍ଥାନରେ ଅଛି।

ଏନଆଇଆରଏଫ ଜାରି କରିଥିବା ରାଙ୍କିଙ୍ଗର ୯ମ ସଂସ୍କରଣରେ ୩ଟି ନୂଆ ବର୍ଗ – ମୁକ୍ତ ବିଶ୍ୱବିଦ୍ୟାଳୟ, ଦକ୍ଷତା ବିଶ୍ୱବିଦ୍ୟାଳୟ ଓ ସରକାରୀ ଅନୁଦାନ ବିଶ୍ୱବିଦ୍ୟାଳୟକୁ ସାମିଲ କରାଯାଇଛି। AICTE ଅଧ୍ୟକ୍ଷ ଅନୀଲ ସହସ୍ରବୁଦ୍ଧେ ଘୋଷଣା କରିଛନ୍ତି ଯେ ଶିକ୍ଷା ମନ୍ତ୍ରଣାଳୟ ଆସନ୍ତାବର୍ଷ ଠାରୁ ପରିପୋଷଣିୟତା ରାଙ୍କିଙ୍ଗ ମଧ୍ୟ ଜାରି କରିବ।

ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ବର୍ଗର ୩ୟ ସ୍ଥାନରେ କ୍ରମାଗତ ତୃତୀୟ ଥର ପାଇଁ ଜାମିଆ ମିଲିଆ ଇସଲାମିଆ ରହିଛି। ଜାମିଆ ହାମଦର ଫାର୍ମାସୀ ପାଇଁ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଛି। ବିଶ୍ୱବିଦ୍ୟାଳୟ ବର୍ଗରେ ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ ସାଇନ୍ସ ୧ନଂରେ ଥିବା ବେଳେ ଜେଏନୟୁ ୨ନଂରେ ରହିଛି।

ଆଇଆଇଏ ଅହମଦାବାଦ ଦେଶର ଶ୍ରେଷ୍ଠ ବିଜନେସ ସ୍କୁଲ ମାନ୍ୟତା ପାଇଥିବା ବେଳେ ମ୍ୟାନଜେମେଣ୍ଟ କୋର୍ସର ଟପ୍‌ ୧୦ରେ ଦୁଇଟି ଆଇଆଇଟି (ଦିଲ୍ଲୀ ଓ ବମ୍ବେ) ରହିଛନ୍ତି।

ଦିଲ୍ଲୀ ଏମ୍ସ ଦେଶର ଶ୍ରେଷ୍ଠ ମେଡିକାଲ ଶିକ୍ଷାନୁଷ୍ଠାନ ହୋଇଥିବା ବେଳେ ଆଇଆଇଟି ଋକୀ ଆର୍କିଟେକର ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଛି। ଦେଶର ଶ୍ରେଷ୍ଠ କଲେଜ ମାନ୍ୟତା ଦିଲ୍ଲୀରେ ଥିବା ହିନ୍ଦୁ କଲେଜ ପାଇଛି।