Onn 3

ମେଦିନପୁର-ହାୱଡା ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ

National & International

ମେଦିନପୁର-ହାୱଡା ପାସେଞ୍ଜର ଟ୍ରେନ ଖଡଗପୁରରେ ଲାଇନଚ୍ୟୁତ ହୋଇଛି । ଶନିବାର ରାତିରେ ଟ୍ରେନର ଶେଷ ବଗି ଟ୍ରାକ୍‌ରୁ ଖସିଥିବା ଜଣାପଡିଛି । ତେବେ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି । ତେବେ ଲାଇନଚ୍ୟୁତ ହେବାର ପ୍ରକୃତ କାରଣ ଜଣାପଡିନାହିଁ ।

ଖବର ମୁତାବକ, ଖଡଗପୁର ଷ୍ଟେସନରେ ଗତ ଶନିବାର ରାତିରେ ମେଦିନପୁର-ହାୱଡା ପାସେଞ୍ଜର ଟ୍ରେନର ଶେଷ ବଗି ଲାଇନଚ୍ୟୁତ ହୋଇଥିବା ଖବର ମିଳିଥିଲା । ଏହି ଘଟଣାରେ ଯାତ୍ରୀ ସମସ୍ତେ ସୁରକ୍ଷିତ ରହିଛନ୍ତି । ତେବେ କେମିତି ବଗି ଲାଇନଚ୍ୟୁତ ହେଲା, ତାହା ଏଯାଏଁ ଜଣାପଡିନାହିଁ । ଖବର ପାଇବା ପରେ ରେଳବାଇ ପକ୍ଷରୁ ତୁରନ୍ତ ଆକ୍ସନ ନିଆଯାଇଛି । ଲାଇନଚ୍ୟୁତ ହୋଇଥିବା  ବଗିକୁ ହଟାଯାଇଛି ।

ସୂଚନାଯୋଗ୍ୟ, ନିକଟରେ ବାଲେଶ୍ବର ବାହାନଗା ଷ୍ଟେସନରେ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୨୮୮ ଜଣଙ୍କର ପ୍ରାଣ ଚାଲିଯାଇଥିବା ବେଳେ  ୧୧୦୦ରୁ ଅଧିକ ଆହତ ହୋଇଥିଲେ ।

ବାହାନଗା ଷ୍ଟେସନରେ ମାଲଗାଡି ଲୁପ୍ ଲାଇନରେ ଥିବା ବେଳେ ମେନ ଲାଇନରେ କରମଣ୍ଡଳ ଏକ୍ସପ୍ରେସକୁ ଗ୍ରୀନ ସିଗନାଲ ମିଳିଥିଲା । କରମଣ୍ଡଳ ମେନ ଲାଇନରେ ଆସୁଥିବା ବେଳେ ହଠାତ୍ ପୁଣି ଲୁପ୍ ଲାଇନରେ ଯିବାକୁ ସିଗନାଲ ମିଳିଥିଲା । ଟ୍ରେନକୁ ଲୁପ୍ ଲାଇନ ସିଗନାଲ ମିଳିବା ପରେ କରମଣ୍ଡଳ ଡ୍ରାଇଭର ଗାଡିକୁ ଲୁପ୍ ଲାଇନକୁ ନେଇଥିଲେ ।

ହେଲେ ସେଠାରେ ପୂର୍ବରୁ ରହିଥିବା ମାଲଗାଡି ସହିତ କରମଣ୍ଡଳର ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ଏକ୍ସପ୍ରେସର ଇଂଜିନ ମାଲଗାଡି ଉପରେ ଚଢିଯାଇଥିଲା । ଆଉ ୨୧ଟି ବଗି ଲାଇନଚ୍ୟୁତ ହୋଇଥିଲା। ବଗିଗୁଡିକୁ ଲାଇନଚ୍ୟୁତ ହୋଇ ଅନ୍ୟ ଲାଇନରେ ପଡିଥିଲା । ଆଉ ଡାଉନ ଲାଇନରେ ଆସୁଥିବା ଯଶବନ୍ତପୁର ହାୱାଡା ଏକ୍ସପ୍ରେସ ଏହି ବଗି ସହିତ ଧକ୍କା ହୋଇଥିଲା । ଫଳରେ ଆଉ ଏକ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିଲା।