Onn 3

ଖୋର୍ଦ୍ଧା DRMଙ୍କ ବିସ୍ଫୋରକ ବୟାନ; ବାହାନଗା ଟ୍ରେନ୍‌ ଟ୍ରାଜେଡି ପଛରେ ଷଡ଼ଯନ୍ତ୍ର ସନ୍ଦେହ

State

ବାହାନଗାରେ ଟ୍ରେନ୍‌ ଟ୍ରାଜେଡି ପଛର କାରଣ କ’ଣ ? ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି । ଟ୍ରେନ୍‌ ଦୁର୍ଘଟଣା ପଛରେ ରହିଛି କି ବଡ଼ ଷଡ଼ଯନ୍ତ୍ର ? ରେଳ ବିଭାଗର ସନ୍ଦେହ ପରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତକାଲି ଖୋର୍ଦ୍ଧା ରୋଡ୍‌ ଡିଭିଜନ୍‌ ଡିଆରଏମ୍‌ ରିଙ୍କଶ ରାୟ କହିଥିଲେ ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ର ସନ୍ଦେହ କରାଯାଉଛି । ଗ୍ରୀନ୍‌ ସିଗନାଲ୍‌ ଥିବାରୁ କରମଣ୍ଡଳ ଏକ୍ସପ୍ରେସ ମେନ୍‌ ଲାଇନ୍‌ରେ ଆଗକୁ ବଢ଼ିଥିଲା । ଲୁପ୍‌ ଲାଇନରେ ଥିଲା ନାଲିବତି । ଯେଉଁଠି ଏକ ମାଲବାହୀ ଟ୍ରେନ୍‌ ଠିଆ ହୋଇଥିଲା । କିନ୍ତୁ କରମଣ୍ଡଳ ଲୁପ୍‌ ଲାଇନକୁ ଡାଇଭର୍ଟ ହୋଇଥିଲା । ମେନ୍‌ ଲାଇନରୁ ଲୁପ୍‌ ଲାଇନକୁ ଟ୍ରେନ୍‌ ଡାଇଭର୍ଟ ଅଟୋମେଟିକ୍‌ ସଫ୍ଟେଓ୍ଵୟାର କଣ୍ଟ୍ରୋଲ ଇଣ୍ଟରଲକିଂ ସିଷ୍ଟମ ଦ୍ୱାରା ହୋଇଥାଏ । ଇଣ୍ଟରଲକିଂ ଦ୍ୱାରା ଟ୍ରେନକୁ ଗୋଟିଏ ଟ୍ରାକରୁ ଅନ୍ୟ ଟ୍ରାକକୁ ପରିବର୍ତ୍ତନ କରାଇଥାଏ ।

ସେଦିନ କରମଣ୍ଡଳ ଘଣ୍ଟାପ୍ରତି ୧୨୮ କିଲୋମିଟର ବେଗରେ ଆଗକୁ ବଢୁଥିଲା । ଗ୍ରୀନ୍‌ ସିଗନାଲ୍‌ ଥିବାରୁ ଟ୍ରେନ୍‌ ମେନ୍‌ ଲାଇନରେ ଯିବା କଥା । କିନ୍ତୁ ହଠାତ୍‌ ଇଣ୍ଟରଲକିଂ ସିଷ୍ଟମରେ ପରିବର୍ତ୍ତନ ହୋଇଥିଲା । ମେନ୍‌ ଲାଇନ୍‌ ଛାଡି ନାଲିବତି ଥିବା ଲୁପ୍‌ ଲାଇନକୁ ପଶି ଆସିଥିଲା କରମଣ୍ଡଳ ଏକ୍ସପ୍ରେସ । ସିଗନାଲିଂ ବ୍ୟବସ୍ଥାରେ ଏହା ସମ୍ଭବ ନୁହେଁ । କାରଣ ସିଗନାଲିଂ କ୍ଷେତ୍ରରେ ଏକ ଫୁଲ୍‌-ପ୍ରୁଫ ସିଷ୍ଟମ କାମ କରେ । ସାମାନ୍ୟତମ ଅସୁବିଧା ଥିଲେ ବି ଗ୍ରୀନ୍‌ ସିଗନାଲ୍‌ ମିଳି ନଥାଏ । ତେଣୁ ସିଷ୍ଟମକୁ ଜାଣିଶୁଣି କେହି କ୍ଷତି ପହଞ୍ଚାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ଏଭଳି ଦୁର୍ଘଟଣା ମନୁଷ୍ୟକୃତ ନା ବୈଷୟିକ ତ୍ରୁଟିରୁ ହେଲା । ଚରମ ଦାୟିତ୍ୱହୀନତା ନା ବଡ଼ ଷଡ୍‌ଯନ୍ତ୍ର । ଇଣ୍ଟରଲକିଂ ସିଷ୍ଟମକୁ ପରିବର୍ତ୍ତନ କଲା କିଏ ? ସେହି ଷଡଯନ୍ତ୍ରକାରୀ କିଏ ? କଣ ଥିଲା ତାଙ୍କର ଉଦ୍ଦେଶ୍ୟ ? ଦୁର୍ଘଟଣା ନା ଜାଣିଶୁଣି କେହେ କରମଣ୍ଡଳକୁ ଦୁର୍ଘଟଣା ମୁହଁକୁ ଠେଲିଦେଲା ? ସିବିଆଇ ଏଦିଗରେ ତଦନ୍ତକୁ ଗୁରୁତ୍ୱ ଦେଇପାରେ । ତଦନ୍ତ ପରେ ସ୍ପଷ୍ଟ ହେବ ଦୁର୍ଘଟଣା ପଛର ପ୍ରକୃତ କାରଣ କଣ । ଗ୍ରାଉଣ୍ଡ ଜିରୋରେ ରେଲେଓ୍ଵ ସେଫ୍‌ଟି କମିଶନର ତଦନ୍ତ କରୁଥିବା ବେଳେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ୍‌ ଗୁଣନିଧି ମହାନ୍ତି ଓ ସହକାରୀ ଲୋକୋ ପାଇଲଟ୍‌ ହଜାରୀ ବେହେରାଙ୍କ ବୟାନ ବି ରେକର୍ଡ ହୋଇଛି ।