Onn 3

ଖୁବଶୀଘ୍ର ଶିଶୁ ଅରିହାଙ୍କୁ ଭାରତ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଲା ବୈଦେଶିକ ମନ୍ତ୍ରାଳୟ; ସୁଷମା ସ୍ୱରାଜଙ୍କୁ ମନେ ପକାଇଲେ ବ୍ୟଥିତ ମା’

National & International

ନୂଆଦିଲ୍ଲୀ: ଦୀର୍ଘ ୨୧ ମାସ ଧରି ପିତାମାତାଙ୍କଠାରୁ ଅଲଗା ହୋଇ ରହିଥିବା ଶିଶୁ ଅରିହା ଶାହଙ୍କୁ ଜର୍ମାନୀର ବର୍ଲିନରେ ଥିବା ଏକ ଯତ୍ନ କେନ୍ଦ୍ରରୁ ଭାରତ ଫେରାଇ ଆଣିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଆଜି ପ୍ରତିଶ୍ରୁତି ଦେଇଛି।
ଉଲ୍ଲେଖଯୋଗ୍ୟ, ଜର୍ମାନୀର ଚାଇଲ୍‌ଡ ସର୍ଭିସେସ ୨ ବର୍ଷର ଶିଶୁକନ୍ୟା ଅରିହାକୁ ବାପାମାଆଙ୍କ ଦ୍ୱାରା ନିର୍ଯାତନା ଦିଆଯାଉଥିବା ସନ୍ଦେହରେ ନିଜ ହେପାଜତକୁ ନେଇ ଯାଇଥିଲା। କିନ୍ତୁ ୨୦୨୨ ଫେବ୍ରୁଆରିରେ ଏହି ଅପରାଧିକ ଅଭିଯୋଗ ପ୍ରତ୍ୟାହାର ହେବା ସତ୍ତ୍ୱେ, ଅରିହା ତାଙ୍କ ପିତାମାତାଙ୍କ ସହ ପୁନର୍ବାର ମିଶିନାହାନ୍ତି, ଯେଉଁମାନେ ସମସ୍ତେ ଭାରତୀୟ ଅଟନ୍ତି।
ଏସଂପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ ଅରିହା ଶାହାଙ୍କୁ ଭାରତ ଫେରାଇ ଆଣିବା ପାଇଁ ସେମାନେ ନିରନ୍ତର ସମର୍ଥନ କରୁଛନ୍ତି। ଆମର ପ୍ରୟାସ ଶିଶୁର ସର୍ବୋତ୍ତମ ସ୍ୱାର୍ଥ ଦ୍ୱାରା ପରିଚାଳିତ ହୋଇଛି, ଯାହା ଆମେ ବିଶ୍ୱାସ କରୁ ଯେ ଯେତେବେଳେ ସେ ନିଜ ଦେଶରେ ରହିବେ, ଯେଉଁଠାରେ ତା’ର ସାମାଜିକ-ସାଂସ୍କୃତିକ ଅଧିକାର ସୁରକ୍ଷିତ ରହିପାରିବ ସେତେବେଳେ ହିଁ ଏହା ସମ୍ପୂର୍ଣ୍ଣ ରୂପେ ସାକାର ହୋଇପାରିବ। ସେହି ଅନୁଯାୟୀ ଆମେ ଜର୍ମାନୀକୁ ଅନୁରୋଧ କରୁଛୁ ଯେ ଶିଶୁଟିକୁ ଭାରତ ଫେରାଇ ଦିଅନ୍ତୁ। ଦୂତାବାସ ବାରମ୍ବାର ଜର୍ମାନ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛି ଯେ ଅରିହାଙ୍କ ସାଂସ୍କୃତିକ, ଧାର୍ମିକ ଏବଂ ଭାଷାଗତ ପୃଷ୍ଠଭୂମି ସହିତ ସମ୍ପର୍କ ଯେପରି ବାଧାପ୍ରାପ୍ତ ନ ହୁଏ ତାହା ସୁନିଶ୍ଚିତ କରନ୍ତୁ ଏବଂ ବର୍ଲିନରେ ଥିବା ଭାରତୀୟ ସାଂସ୍କୃତିକ କେନ୍ଦ୍ରରେ ଶିଶୁକୁ କନସୁଲାର ଆକସେସ୍‌ ପାଇଁ ଅନୁରୋଧ କରିଛନ୍ତି।
ଆମେ ଜର୍ମାନ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରୁଛୁ ଯେ ଅରିହାଙ୍କୁ ଯଥାଶୀଘ୍ର ଭାରତ ପଠାଇବା ପାଇଁ ଯାହା ଆବଶ୍ୟକ ତାହା କରନ୍ତୁ, ଯାହା କି ଜଣେ ଭାରତୀୟ ନାଗରିକ ଭାବରେ ତାଙ୍କର ଅବିଚ୍ଛେଦ୍ୟ ଅଧିକାର। ଅରିହା ଶାହାଙ୍କୁ ଭାରତ ଫେରାଇ ଆଣିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍‌ ଜୟଶଙ୍କରଙ୍କ ସହ ସାକ୍ଷାତ କରିବାକୁ ଅରିହାଙ୍କ ପିତାମାତା ବାରମ୍ବାର ଅନୁରୋଧ କରିବା ପରେ ଏହି ବୟାନ ଆସିଛି। ଅଭିଭାବକମାନେ ହସ୍ତକ୍ଷେପ କରିବା ପାଇଁ କ୍ରମାଗତ ଭାବେ ଭାରତର ଅଧିକାରୀମାନଙ୍କୁ ଭେଟିଆସୁଛନ୍ତି। ଇତିମଧ୍ୟରେ ଜର୍ମାନୀ କର୍ତ୍ତୃପକ୍ଷ କହିଛନ୍ତି ଯେ ଏସଂପର୍କରେ ସେମାନେ ବର୍ଲିନରେ ଥିବା ଭାରତୀୟ ଦୂତାବାସ ସହିତ ଘନିଷ୍ଠ ଯୋଗାଯୋଗରେ ଅଛନ୍ତି।
କେବଳ ଜର୍ମାନୀ, ତୁର୍କୀ, ପୋଲାଣ୍ଡ, ରୋମାନିଆ ସମେତ ଅନ୍ୟାନ୍ୟ ଦେଶରେ ମଧ୍ୟ ଏଭଳି ଘଟଣା ବିରଳ ନୁହେଁ; ଯେଉଁମାନେ ନିଜ ସନ୍ତାନଙ୍କୁ ହରାଇଛନ୍ତି ସେମାନଙ୍କ ନାଗରିକଙ୍କ ବିରୋଧରେ ସମାନ ଢଙ୍ଗରେ ଲଢ଼େଇ ଜାରି ରହିଛି।
ଆଜିର ଘଟଣା ପରେ ଅରିହାଙ୍କ ବିବ୍ରତ ଓ ଭାବପ୍ରବଣ ମା’ ଧରା ଶାହା ତାଙ୍କ ସନ୍ତାନକୁ ଫେରାଇ ଆଣିବା ପାଇଁ ସଂଘର୍ଷ କରୁଥିବା ବେଳେ ସ୍ୱର୍ଗତ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ମନେ ପକାଇଛନ୍ତି। ‘ସୁଷମା ସ୍ୱରାଜ, ଜଣେ ମା’ ଥିଲେ। ତେଣୁ ସେ ଜଣେ ମା’ର ଯନ୍ତ୍ରଣା ବୁଝିପାରୁଥିଲେ। ଏପରିକି ବିରୋଧୀ ଦଳରେ ମଧ୍ୟ ସେ ସବୁବେଳେ ଏହି ପ୍ରସଙ୍ଗକୁ ସମର୍ଥନ କରିଥିଲେ। ସେ କହୁଥିଲେ, ଯଦି ଶିଶୁଟି ଭାରତୀୟ ନାଗରିକ, ତେବେ ଆମେ ଜାଣିଛୁ କିପରି ଆମ ପିଲାର ଯତ୍ନ ନେବାକୁ ହେବ, ଆମ ପିଲାକୁ ଭାରତ ଫେରାଇ ଅଣାଯିବ। ଏହା ଥିଲା ତାଙ୍କର ଆଭିମୁଖ୍ୟ। ମୁଁ ବିଶ୍ୱାସ କରେ ଯେ ଇତିମଧ୍ୟରେ ୨୦ ମାସ ହୋଇଗଲାଣି ଯଦି ଭାରତ ସରକାର ହସ୍ତକ୍ଷେପ କରନ୍ତି, ଯଦି ପ୍ରଧାନମନ୍ତ୍ରୀ ମୋଦୀ ଏହି ମାମଲାରେ ହସ୍ତକ୍ଷେପ କରନ୍ତି ତେବେ ମୋ ଝିଅକୁ ନ୍ୟାୟ ମିଳିବ। ସେ ଜଣେ ଭାରତୀୟ ଶିଶୁ। ସେ ଜଣେ ଗୁଜରାଟୀ ଶିଶୁ,’ ଆଖିରେ ଲୁହ ଭରି କହଛନ୍ତି ଅରିହାଙ୍କ ମା’ ଧରା।