IMG 20260910 WA0291

ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷାଙ୍କ ମୟୂରଭଞ୍ଜ ଗସ୍ତ

ରାଜ୍ୟ
ବାରିପଦା : ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR)ର  ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ଏବଂ ଆୟୋଗର ସଦସ୍ୟ ଶ୍ରୀମତୀ କସ୍ତୁରୀ ମିଶ୍ର ଶିଶୁ ଅଧିକାର ସୁରକ୍ଷା ଓ ବିଭିନ୍ନ ଶିଶୁକଲ୍ୟାଣମୂଳକ ବ୍ୟବସ୍ଥାର ସ୍ଥିତି ସମୀକ୍ଷା ନିମନ୍ତେ ୦୯.୦୯.୨୦୨୬ ରୁ ୧୨.୦୯.୨୦୨୬ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି।
ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜିଲ୍ଲାରେ ଶିଶୁମାନଙ୍କ ସୁରକ୍ଷା, ପୋଷଣ, ଶିକ୍ଷା, ସ୍ୱାସ୍ଥ୍ୟ, ନିର୍ଯ୍ୟାତନା ଓ ଶୋଷଣରୁ ମୁକ୍ତି, ଉପଯୁକ୍ତ ଯତ୍ନ ଓ ପୁନର୍ବାସ ସହିତ ଶିଶୁ ଅଧିକାରର ସୁରକ୍ଷାକୁ ସୁନିଶ୍ଚିତ କରିବା.ଗସ୍ତ ସୂଚୀ ଅନୁଯାୟୀ ମାନ୍ୟବର ଅଧ୍ୟକ୍ଷା ଓ ସଦସ୍ୟ  ଗତକାଲି ପୂର୍ବାହ୍ନରେ ଭୁବନେଶ୍ୱରରୁ ଆସି  ଅପରାହ୍ନରେ ରାଇରଙ୍ଗପୁରରେ ପହଞ୍ଚି  ରାତ୍ରିଯାପନ କରିଥିଲେ।  ଆଜି  ପୂର୍ବାହ୍ନରେ ଶୁକୃଳି ଆଇ ସି ଡି ଏସ ଅଧିନସ୍ଥ ଖିଚିଂ ଅଙ୍ଗନବାଡି ପରିଦର୍ଶନ କରିଥିଲେ । ପରେପରେ ରରୁଆଁ ସ୍ଥିତ ମା’ ବାସୁଳୀ ଟିଏଚଆର (ଟେକ୍ ହୋମ ରାସନ ) ଛତୁଆ ୟୁନିଟ୍ ପରିଦର୍ଶନ କରିଥିଲେ ଏହାପରେ ରାଇରଙ୍ଗପୁରସ୍ଥିତ ୱାନ୍ ଷ୍ଟପ୍ ସେଣ୍ଟର, ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଶିଶୁରୋଗ ଚିକିତ୍ସା ୱାର୍ଡ, ପ୍ରସୂତି ୱାର୍ଡ ଏବଂ ଶିଶୁ ଅନୁକୂଳ ପୁଲିସ ଥାନା ପରିଦର୍ଶନ କରି ସେଠାକାର ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।
ଅପରାହ୍ନରେ ବିଜାତଳା ବ୍ଲକର ବଡାମତଳିଆ ଏସଏସଡି ଏବଂ ବିଶୋଇ ଠାରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ(କେଜିଵିଭି) ଓ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ   ହଷ୍ଟେଲ ପରିଦର୍ଶନ କରିବା ପରେ ବାରିପଦା ଅଭିମୁଖେ ଯାତ୍ରା କରିଛନ୍ତି।
କ୍ଷେତ୍ର ପରିଦର୍ଶନ ସମୟରେ  ଅଧ୍ୟକ୍ଷା ମୁଖ୍ୟତଃ ଶିଶୁମାନଙ୍କ ସୁରକ୍ଷା ଓ ନିରାପତ୍ତା, ହଷ୍ଟେଲ ଓ ଅନ୍ୟାନ୍ୟ ଶିଶୁ ଆଶ୍ରୟସ୍ଥଳୀରେ ଶିଶୁମାନଙ୍କ ନିରାପଦ ପରିବେଶ, ଯତ୍ନ ଓ ତଦାରଖ ବ୍ୟବସ୍ଥା ଉପରେ ଅନୁଧ୍ୟାନ କରିଥିଲେ। ସେହିପରି ଅଙ୍ଗନବାଡି କେନ୍ଦ୍ର ଏବଂ ଟି ଏଚ ଆର ୟୁନିଟ ପରିଦର୍ଶନ ସମୟରେ ଶିଶୁମାନଙ୍କୁ ଦିଆଯାଉଥିବା ପୃଷ୍ଟିକର ଖାଦ୍ୟର ଗୁଣବତ୍ତା, ନିୟମିତତା, ସ୍ୱାସ୍ଥ୍ୟ ପରୀକ୍ଷା ଓ ବିକାଶ ନିରୀକ୍ଷଣ ଆଦିର ଅନୁଧ୍ୟାନ କରିଥିଲେ। ଶିଶୁମାନଙ୍କ ପ୍ରତି ଶାରୀରିକ, ମାନସିକ ନିର୍ଯ୍ୟାତନା, ଅବହେଳା ଓ ଶୋଷଣ ରୋକିବା ସହିତ ଅଭିଯୋଗ ମିଳିଲେ ଏହାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ ଦେଇଥିଲେ। ଶିଶୁଶ୍ରମ ଓ ଶୋଷଣ ରୋକିବା, ଶିଶୁ ଭିକ୍ଷାବୃତ୍ତିରୁ ମୁକ୍ତ କରି ସେମାନଙ୍କ ଶିକ୍ଷା ସୁରକ୍ଷା ଓ ପୁନର୍ବାସ ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଦେଇଥିଲେ। ତତସହିତ ପରିବାର ଭିତ୍ତିକ ଶିଶୁ ଯତ୍ନ ସମ୍ଭବ ହେଲେ ଶିଶୁମାନଙ୍କୁ ପରିବାରରୁ ଅଲଗା ନକରି, ପରିବାରକୁ ଆବଶ୍ୟକ ସହାୟତା ଓ ସରକାରୀ ଯୋଜନା ଭୁକ୍ତ କରାଇବା ପାଇଁ ପରାମର୍ଶ ଦେଇଥିଲେ।ସେହିପରି ଶିଶୁ ଅନୁକୂଳ ପୁଲିସ ବ୍ୟବସ୍ଥାରେ ଶିଶୁମାନେ ପୁଲିସ ସହିତ ସମ୍ପର୍କରେ ଆସିଲେ ସେମାନଙ୍କ ପ୍ରତିସମ୍ବେଦନଶୀଳ ଓ ଶିଶୁ ଆନୁକୂଳ ବ୍ୟବହାର, ଆଇନଗତ ଅଧିକାରର ସୁରକ୍ଷା ଏବଂ ଆବଶ୍ୟକ ସହାୟତା ଉପଲବ୍ଧ ଉପରେ ଅନୁଧ୍ୟାନ କରିଥିଲେ।
ସର୍ବୋପରି ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଶିଶୁ କଲ୍ୟାଣ କମିଟି, ଶିଶୁ ଯତ୍ନ ଅନୁଷ୍ଠାନ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ଓ କାର୍ଯ୍ୟକାରିତା ଉପରେ ଅଧ୍ୟକ୍ଷା ଗୁରୁତ୍ୱାରୋପ କରିଥିଲେ।ପକ୍ସ ପୀଡିତା ଶିଶୁ ମାନଙ୍କ ପାଇଁ ସ୍ୱତନ୍ତ୍ର ପରାମର୍ଶ କକ୍ଷ ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିଲେ। ଅନିଚ୍ଛିତ ଗର୍ଭଧାରଣ ଜନିତ ଜନ୍ମିତ ଶିଶୁଙ୍କ ଥଇଥାନ ପାଇଁ ଉପଯୁକ୍ତ କାଂଉସେଲିଙ୍ଗ ପାଇଁ ପରାମର୍ଶ ଦେଇଥିଲେ। ଆସନ୍ତାକାଲି ଅନ୍ୟାନ୍ୟ କ୍ଷେତ୍ର ପରିଦର୍ଶନ ପରେ ଅପରାହ୍ନରେ ବାରିପଦା ଠାରେ ତା’ଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ଯେଉଁଥିରେ ଅଧ୍ୟକ୍ଷାଙ୍କ ଦ୍ୱାରା କରାଯାଇଥିବା କ୍ଷେତ୍ର ପରିଦର୍ଶନ  ଆଧାରରେ ଜିଲ୍ଲାରେ ଶିଶୁ ଅଧିକାର ଓ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ସମୀକ୍ଷା କରାଯାଇ ଉପଯୁକ୍ତ ସୁଧାର ଦ୍ୱାରା ଏହାକୁ କିପରି ଆହୁରି ସଶକ୍ତ କରାଯିବ ସେ ଉପରେ ଆଲୋଚନା କରାଯିବ ।
ଆଜି କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ସମୟରେ ତା’ଙ୍କ ସହିତ ଜିଲ୍ଲା ପ୍ରଶାସନର ରାଇରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ, ଆଇ ସି ଡି ଏସର ପ୍ରୋଗ୍ରାମ ଅଧିକାରିଣୀ ଜୟଶ୍ରୀ ହୋତା, ଉପଜିଲ୍ଲାପାଳ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ଶ୍ରୀମତୀ ଅନିତା ରାଣୀ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।