IMG 20260630 WA0199

ରାଇରଙ୍ଗପୁର ନୂତନ ପୁଲିସ ଜିଲ୍ଲାରେ ପୁଲିସ ଫୋର୍ସଙ୍କ ଯୋଗଦାନ, ସ୍ୱାଗତ କଲେ ଆରକ୍ଷୀ ଅଧିକ୍ଷକ

ରାଜ୍ୟ
ବାରିପଦା  : ରାଇରଙ୍ଗପୁରରେ ନୂତନ ପୁଲିସ ଜିଲ୍ଲା ପାଇଁ ଗତ ୧୯ ତାରିଖ ମହାମହିମ ରାଷ୍ଟ୍ରପତିଙ୍କ କରକମଳରେ ଆରକ୍ଷୀ ଅଧିକ୍ଷକଙ୍କ ନୂତନ କାର୍ଯ୍ୟାଳୟ ଗୃହ ଉଦଘାଟିତ ହେବାପରେ ଇତି ମଧ୍ୟରେ ଜିଲ୍ଲାରେ ପ୍ରଥମ ଆରକ୍ଷୀ ଅଧିକ୍ଷକ ଭାବେ ଶ୍ରୀ ସୁରେଶ ଚନ୍ଦ୍ର ପାତ୍ର ଯୋଗଦାନ କରିଛନ୍ତି। ନୂତନ ପୁଲିସ ଜିଲ୍ଲାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣିଆ ପୋଲିସ ଫୋର୍ସ ଏଠାରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହି ଉପଲକ୍ଷେ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତାରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଯଦୁନାଥ ଜେନା, ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ବୀରେନ୍ଦ୍ର ସେନାପତି, ଆର ଆଇ ଶ୍ରୀ ଲକ୍ଷ୍ମୀ ରଞ୍ଜନ, ସବଇନିସପେକଟର ଶ୍ରୀ ରଞ୍ଜନ ସେଠୀ, କାର୍ଯ୍ୟାଳୟର ଅନ୍ୟାନ୍ୟ ବିଭଗୀୟ ପଦାଧିକାରୀ, କର୍ମଚାରୀଙ୍କ ସମେତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ।
ପୁଲିସ ଫୋର୍ସକୁ ସ୍ୱାଗତ କରିବା ଅବସରରେ ଆରକ୍ଷୀ ଅଧିକ୍ଷକ କହିଥିଲେ ଯେ ଆଜିର  ଦିନ ରାଇରଙ୍ଗପୁର ନୂତନ ପୁଲିସ ଜିଲ୍ଲାର ଇତିହାସରେ ଏକ ସ୍ୱର୍ଣ୍ଣିମ ଓ ସ୍ମରଣୀୟ ଅଧ୍ୟାୟ ହୋଇ ରହିବ । ଏହି ନୂତନ ପୁଲିସ ଜିଲ୍ଲାରେ ପୁଲିସ ଫୋର୍ସର ଆଗମନ କେବଳ ଜଣେ କର୍ମଚାରୀଙ୍କ ଯୋଗଦାନ ନୁହେଁ, ବରଂ ଆଇନର ଶାସନକୁ ସୁଦୃଢ଼ କରିବା, ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ କରିବା ଏବଂ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷାକୁ ଆହୁରି ମଜବୁତ କରିବା ଦିଗରେ ଏକ ନୂତନ ପଦକ୍ଷେପ।
ଜିଲ୍ଳାରେ ନୂତନ ଭାବେ ଯୋଗଦେଇଥିବା ସମସ୍ତ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସେ ପୁଷ୍ପ ଗୁଚ୍ଛ ଦେଇ ପୁଲିସ ଜିଲ୍ଲା ପକ୍ଷରୁ ହାର୍ଦ୍ଦିକ  ସ୍ୱାଗତ ଜଣାଇଥିଲେ । ଅଧିକାରୀ ଓ କର୍ମଚାରୀମାନଙ୍କୁ ମାର୍ଗଦର୍ଶନ ଦେବା ସହିତ ଉତ୍ସାହିତ କରିବା ଉଦେଶ୍ୟରେ କହିଥିଲେ ଆପଣମାନଙ୍କର ଅନୁଭବ, ଦକ୍ଷତା, ନିଷ୍ଠା ଓ କର୍ତ୍ତବ୍ୟପରାୟଣତା ଏହି ଜିଲ୍ଲାର ପୁଲିସ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ।
ଆମର ଲକ୍ଷ୍ୟ କେବଳ ଅପରାଧ ନିୟନ୍ତ୍ରଣ ନୁହେଁ, ବରଂ ଲୋକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବା, ସମ୍ବେଦନଶୀଳତା ସହିତ ସେବା ପ୍ରଦାନ କରିବା ଏବଂ ଜନସାଧାରଣଙ୍କ ସହ ସୁଦୃଢ଼ ସମ୍ପର୍କ ଗଢ଼ି ତୋଳିବା। ଆମେ ସମସ୍ତେ ଏକ ଟିମ୍ ଭାବେ କାର୍ଯ୍ୟ କରି ଏହି ନୂତନ ପୁଲିସ ଜିଲ୍ଲାକୁ ରାଜ୍ୟର ଏକ ଆଦର୍ଶ ପୁଲିସ ଜିଲ୍ଲାରେ ପରିଣତ କରିବା ପାଇଁ ସଂକଳ୍ପବଦ୍ଧ ହେବା ପାଇଁ ଆହ୍ୱାନ ଜଣାଇଥିଲେ। ସମସ୍ତଙ୍କ ସହଯୋଗ, ଶୃଙ୍ଖଳା, ସତ୍ୟନିଷ୍ଠା ଏବଂ ଉତ୍ସର୍ଗୀକୃତ ସେବା ଆମର ସଫଳତାର ମୂଳ ଆଧାର ହେବ ଏବଂ ସମସ୍ତଙ୍କ ମିଳିତ ପ୍ରୟାସରେ ଜିଲ୍ଳାରେ ଏକ ସୁରକ୍ଷିତ, ଅପରାଧମୁକ୍ତ ଓ ଅଞ୍ଚଳବାସୀଙ୍କ ପାଇଁ ଏକ ଜନବନ୍ଧବ ପୁଲିସ ବ୍ୟବସ୍ଥା ଗଢ଼ି ତୋଳିବା ଆମର ପ୍ରତିବଦ୍ଧତା ରହିବ। ଶେଷରେ ଆରକ୍ଷୀ ଅଧିକ୍ଷକ ଓ ଅଧିକାରୀବୃନ୍ଦ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସେମାନଙ୍କ ଉପସ୍ଥିତି ପାଇଁ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ।