IMG 20260909 WA0251

ଜିଲ୍ଲାସ୍ତରୀୟ ଶକ୍ତି କ୍ଲବ୍ ତାଲିମ ଶିବିର

ରାଜ୍ୟ
  • ଶକ୍ତି ସଂରକ୍ଷଣ ଓ ବିଦ୍ୟୁତ୍‌ର ସୁବିନିଯୋଗ ନେଇ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଦକ୍ଷତାଭିତ୍ତିକ ତାଲିମ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନସ୍ଥ ସେଣ୍ଟର ଫର୍ ଏନଭାଇରନମେଣ୍ଟାଲ ଷ୍ଟଡିଜ୍‌ ର ଯୁଗ୍ମ ଆନୁକୂଲ୍ୟରେ ‘ଏନର୍ଜି କ୍ଲବ୍‌’ ଦାୟିତ୍ୱରେ ଥିବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ଦୁଇଦିନିଆ ଜିଲ୍ଲାସ୍ତରୀୟ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ବାରିପଦାସ୍ଥିତ ଏମ୍‌.ପି.କେ. ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି । ଶକ୍ତି ସଂରକ୍ଷଣ, ବିଦ୍ୟୁତ୍‌ ଶକ୍ତିର ସୁବିନିଯୋଗ, ଅପଚୟ ରୋକିବା ଏବଂ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶକ୍ତି ସଚେତନତା ସୃଷ୍ଟି ଉପରେ ତାଲିମରେ ଗୁରୁତ୍ୱ ଦିଆଯାଇଥିଲା ।
ପ୍ରଥମ ଦିବସରେ ବାଙ୍ଗିରିପୋଷି, କୁଳିଅଣା, ଶାମାଖୁଣ୍ଟା, ସାରସକଣା, ବାରିପଦା ଓ ଶୁଳିଆପଦା ବ୍ଲକ୍‌ର ବିଭିନ୍ନ ବିଦ୍ୟାଳୟର ଏନର୍ଜି କ୍ଲବ୍‌ ଦାୟିତ୍ୱରେ ଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନେ ଅଂଶଗ୍ରହଣ କରିଥିବାବେଳେ ଦ୍ୱିତୀୟ ଦିବସରେ ବଡ଼ସାହି, ବେତନଟୀ, ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକ୍‌ର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ତାଲିମ ଗ୍ରହଣ କରିଥିଲେ ।
କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶକ୍ତି ସଂରକ୍ଷଣର ଆବଶ୍ୟକତା ଏବଂ ବିଦ୍ୟାଳୟସ୍ତରରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏନେଇ ସଚେତନତା ସୃଷ୍ଟିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିନୋଦ ସିଂ ଓ ଗୌତମ କୁମାର ପାତ୍ର ଏବଂ ଜିଲ୍ଲା ସାଇନ୍ସ ସୁପରଭାଇଜର ଜ୍ଞାନରଞ୍ଜନ ଆଚାର୍ଯ୍ୟ ତାଲିମର ଉଦ୍ଦେଶ୍ୟ ଓ ମହତ୍ତ୍ୱ ସହ ଦୈନନ୍ଦିନ ଜୀବନରେ ଶକ୍ତି ସଂରକ୍ଷଣର ଆବଶ୍ୟକତା ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ ।ଏହି ଅବସରରେ ସି.ଏଚ୍‌.ସି., ଉତ୍ତର ଓଡ଼ିଶା ଜୋନ୍‌ର ଡେପୁଟି ସେକ୍ରେଟାରୀ ରାଜେଶ ପ୍ରଧାନ, ଟାଟା ପାୱାରର ସୁପରିଟେଣ୍ଡିଂ ଇଞ୍ଜିନିୟର ଏବଂ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶକ୍ତି ସଂରକ୍ଷଣର ବିଭିନ୍ନ ମାଧ୍ୟମ ଓ ଉପାୟ, ବିଦ୍ୟୁତ୍‌ ଶକ୍ତିର ସଠିକ୍‌ ବିନିଯୋଗ ଏବଂ ଅପଚୟ ରୋକିବା ସମ୍ପର୍କରେ ବ୍ୟବହାରିକ ତଥ୍ୟ ଓ ଉପଦେଶ ପ୍ରଦାନ କରିଥିଲେ ।
ରାଜ୍ୟସ୍ତରରୁ ଯୋଗଦେଇଥିବା ପ୍ରୋଗ୍ରାମ ଅଫିସର ଡ. ସ୍ୱାଗତିକା ମିଶ୍ର ଏବଂ ପ୍ରୋଜେକ୍ଟ ଅଫିସର ଡ. ରାଜେଶ ମହାନ୍ତ ଶକ୍ତି ସଂରକ୍ଷଣ, ପରିବେଶ ସୁରକ୍ଷା ଏବଂ ‘ଲାଇଫ୍’ (ଲାଇଫଷ୍ଟାଇଲ୍ ଫୋର୍ ଇନଭିରନମେଣ୍ଟ)ର ଉଦ୍ଦେଶ୍ୟ ସମ୍ପର୍କରେ ଅଂଶଗ୍ରହଣକାରୀଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ । ମୟୂରଭଞ୍ଜ ଜିଲ୍ଲାର ଇକୋ-କ୍ଲବ୍‌ ମାଷ୍ଟର ଟ୍ରେନର ଡ. ରାମକାନ୍ତ ମହାନ୍ତ ଶକ୍ତି ସଂରକ୍ଷଣ ଓ ଏନର୍ଜି କ୍ଲବ୍‌ ପରିଚାଳନା ସମ୍ପର୍କିତ ନିଜର ଅଭିଜ୍ଞତା ଓ ନୂତନ ଚିନ୍ତାଧାରା ଅଂଶଗ୍ରହଣକାରୀଙ୍କ ସହ ବାଣ୍ଟିଥିଲେ ।
ବିଭିନ୍ନ ସମ୍ପଦ ତଥା ବିଷୟ ବିଶେଷଜ୍ଞ ବ୍ୟକ୍ତି ଶକ୍ତି ସଂରକ୍ଷଣର ବ୍ୟବହାରିକ ଦିଗ ସହ ବିଦ୍ୟାଳୟସ୍ତରରେ ଏନର୍ଜି କ୍ଲବ୍‌ର ସଫଳ ପରିଚାଳନା, କାର୍ଯ୍ୟକଳାପ ଏବଂ ଛାତ୍ରଛାତ୍ରୀଙ୍କୁ ଶକ୍ତି ସଂରକ୍ଷଣ ପ୍ରତି ସଚେତନ କରିବାର ସରଳ ଓ ପ୍ରଭାବଶାଳୀ ପଦ୍ଧତି ସମ୍ପର୍କରେ ଦକ୍ଷତାଭିତ୍ତିକ ତାଲିମ ପ୍ରଦାନ କରିଥିଲେ । ତାଲିମ କାର୍ଯ୍ୟକ୍ରମର ସୁପରିଚାଳନା ଓ ସଫଳ ଆୟୋଜନରେ ଏମ୍‌.ପି.କେ. ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ତଥା ଜିଲ୍ଲା ଶିକ୍ଷା ବିଭାଗର କର୍ମଚାରୀମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।