ବାରିପଦା: ଭାରତ ମାତାର ସେବା ଓ ଦେଶର ସୀମା ସୁରକ୍ଷା ଦାୟିତ୍ୱ ଦୀର୍ଘ ୪୦ ବର୍ଷ ୩ ମାସ ଧରି ନିଷ୍ଠାର ସହିତ ତୁଲାଇବା ପରେ 53-BN. BSF ବଟାଲିୟନରୁ ସେବାନିବୃତ୍ତ ହୋଇ ନିଜ ମାତୃଭୂମିକୁ ଫେରିଥିବା ବୀର ସୈନିକ ନନ୍ଦୁରାମ ବାରଦାଙ୍କୁ ତାଙ୍କ ଜନ୍ମମାଟି ଶ୍ୟାମସୁନ୍ଦର ଗ୍ରାମରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି।
ମୟୁରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକର ଶ୍ୟାମସୁନ୍ଦର ଗ୍ରାମର ଜନ୍ମିତ ସ୍ୱର୍ଗତ ଜଗୁ ବାରଦା ଓ ସ୍ୱର୍ଗତା ଫୂରଗନ ବାରଦାଙ୍କ ଯୋଗ୍ୟ ସନ୍ତାନ ନନ୍ଦୁରାମ ବାରଦା ୨୬-ମେ-୧୯୮୬ ମସିହାରେ ତତ୍କାଳୀନ ବିହାର ରାଜ୍ୟର ହଜାରିବାଗଠାରେ ବିଏସଏଫ୍ରେ ଯୋଗଦାନ କରିଥିଲେ। ଦୀର୍ଘ ୪୦-ବର୍ଷ o୩-ମାସର ଚାକିରି ଜୀବନରେ ସେ ଦେଶର ବିଭିନ୍ନ ସ୍ଥାନରେ ନିଷ୍ଠା ଓ ସାହସର ସହିତ ଦାୟିତ୍ୱ ତୁଲାଇଥିଲେ। ଚାକିରି ଜୀବନର ଶେଷ ପର୍ଯ୍ୟାୟରେ ଜମ୍ମୁ-କଶ୍ମୀରର ପୁଞ୍ଚ ଅଞ୍ଚଳରେ ଦେଶର ସୀମା ସୁରକ୍ଷା ଦାୟିତ୍ୱ ତୁଲାଇବା ପରେ ଗତ ୩୧ ଅଗଷ୍ଟ ୨୦୨୬ରେ ୬୦ ବର୍ଷ ବୟସରେ ସେ ଇନ୍ସପେକ୍ଟର ଭାବେ ସେବାନିବୃତ୍ତ ହୋଇଛନ୍ତି।
ସେବାନିବୃତ୍ତି ପରେ ଗତକାଲି ଟାଟାନଗର ରେଳ ଷ୍ଟେସନରେ ପହଞ୍ଚିବା ପରେ ଶ୍ରୀ ବରଦାଙ୍କୁ ତାଙ୍କ ନିଜ ଗ୍ରାମ ଶ୍ୟାମସୁନ୍ଦରର ଅନିଲ କୁମାର ବିରୁଆ ଓ ଲମ୍ବୋଦର ବାନରା ସହିତ ଗଣ୍ୟମାନ୍ୟ ବ୍ୟକ୍ତି ଓ ତାଙ୍କ ଧର୍ମପତ୍ନୀ ଦୁର୍ଗୀ ବରଦା ଓ ପରିବାର ତଥା ଗ୍ରାମବାସୀମାନେ ଫୁଲମାଳା ପିନ୍ଧାଇ ଭବ୍ୟ ସ୍ୱାଗତ କରିଥିଲେ। ପରେ ତାଙ୍କୁ କୁସୁମୀ ବ୍ଲକର ଶ୍ୟାମସୁନ୍ଦର ଗ୍ରାମକୁ ପାରମ୍ପରିକ ରୀତିନୀତିରେ ସ୍ୱାଗତ କରାଯାଇଥିଲା। ମହିଳା ଓ ପୁରୁଷମାନେ ନୃତ୍ୟ ଓ ଗୀତର ତାଳେ ତାଳେ ତାଙ୍କୁ ପାଛୋଟି ଆଣିଥିଲେ।
ତାଙ୍କରି ପରିବାର ଜୀବନରେ ଶ୍ରୀ ବରଦା ଧର୍ମପତ୍ନୀଙ୍କ ସହ ଚାରିଜଣ କନ୍ୟାଙ୍କ ପିତା। ତାଙ୍କ ମଧ୍ୟରୁ ଜଣେ କନ୍ୟାଙ୍କ ବିବାହ ସମ୍ପନ୍ନ ହୋଇଛି। ଅନ୍ୟ ଜଣେ କନ୍ୟା ଏକ ଗ୍ରାମୀଣ ବ୍ୟାଙ୍କରେ କାର୍ଯ୍ୟରତ ଅଛନ୍ତି। ଅନ୍ୟ ଦୁଇଜଣ କନ୍ୟା ଭୁବନେଶ୍ୱରରେ ଉଚ୍ଚଶିକ୍ଷା ଗ୍ରହଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିଥିବାବେଳେ ସାନ କନ୍ୟା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ବିଏ ପାଠ ପଢୁଛନ୍ତି।
ଦୀର୍ଘ ୪୦ ବର୍ଷ ୩ ମାସ ଧରି ଦେଶର ସୀମା ସୁରକ୍ଷାରେ ନିଜର ଅମୂଲ୍ୟ ସେବା ପ୍ରଦାନ କରିଥିବା ନନ୍ଦୁରାମ ବରଦାଙ୍କ ଅବସର ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ—ଏହି କାମନା କରିଛନ୍ତି ଉକ୍ତ ଅଞ୍ଚଳର ବୁଦ୍ଧିଜୀବୀ, ଗଣ୍ୟମାନ୍ୟ ବ୍ୟକ୍ତି ଓ ଗ୍ରାମୀଣ ଜନସାଧାରଣ। ଈଶ୍ୱରଙ୍କ ନିକଟରେ ତାଙ୍କର ଦୀର୍ଘାୟୁ, ସୁସ୍ଥ ଓ ମଙ୍ଗଳମୟ ଜୀବନ ପାଇଁ ସମସ୍ତେ ପ୍ରାର୍ଥନା କରିଛନ୍ତି। ଏହା ସହିତ ପ୍ରହ୍ଲାଦ ପୂର୍ତ୍ତି ପୂର୍ବତନ ବିଧାୟକ ଓ ନେତା ଆଦିବାସୀ କଂଗ୍ରେସ ଦଳର ଜାତୀୟ ସଂଯୋଜକ ତାଙ୍କରି ପରିବାରିକ ଜୀବନରେ ଦୀର୍ଘାୟୁ ସ୍ବସ୍ଥ ଓ ମଙ୍ଗଳମୟ ଶାନ୍ତିରେ ଜୀବନଯାପନ ପାଇଁ ଈଶ୍ୱରଙ୍କ ପାଖରେ କାମନା କରିଥିଲେ।
