ବାରିପଦା: କୁନି କୁନି ପିଲାମାନେ ଦେଖିଥିବା ଓ ଶିଖିଥିବା କାର୍ଯ୍ୟକୁ ଅତି ସହଜରେ ଅନୁକରଣ କରି ନିଜ ପ୍ରତିଭାର ପରିଚୟ ଦେଇପାରନ୍ତି I ବାରିପଦା ସହରର ୧୫ ନମ୍ବର ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରମାନେ ପ୍ରତିବର୍ଷ ବିଦ୍ୟାଳୟରେ ଗଣେଶ ଓ ସରସ୍ୱତୀ ପୂଜା ଅବସରରେ ନିଜ ହାତରେ ମୂର୍ତ୍ତି ତିଆରି କରି ପୂଜା କରିଥାନ୍ତି I ଚଳିତ ବର୍ଷ ପୂଜାସ୍ଥଳର ସାଜସଜ୍ଜାଠାରୁ ଆରମ୍ଭ କରି ବିଭିନ୍ନ କଳାକୃତି ପର୍ଯ୍ୟନ୍ତ ସବୁକିଛିରେ ପିଲାମାନେ ନିଜର ଦକ୍ଷତାର ପରିଚୟ ଦେଇଛନ୍ତି। କୁନି କୁନି ହାତରେ ଗଢ଼ା ଗଣେଶଙ୍କ ମୂର୍ତ୍ତି ଓ ନିଜ ହାତରେ କରାଯାଇଥିବା ସୁନ୍ଦର ସାଜସଜ୍ଜା ଯେକୌଣସି ବ୍ୟକ୍ତିଙ୍କ ମନକୁ ଆକର୍ଷିତ କରୁଛି।
ସୀମିତ ସାଧନ ମଧ୍ୟରେ ପିଲାମାନେ ନିଜର କଳ୍ପନାଶକ୍ତି ଓ ସୃଜନଶୀଳତାକୁ ବ୍ୟବହାର କରି ଯେଉଁ କାର୍ଯ୍ୟ କରିଛନ୍ତି, ତାହା ଅନ୍ୟମାନଙ୍କଠାରୁ ସେମାନଙ୍କୁ ଅଲଗା ପରିଚୟ ଦେଇଛି। ବିଶେଷକରି ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଛାତ୍ରମାନେ ଏହି ମୂର୍ତ୍ତି ତିଆରି ଓ ପୂଜା ସାଜସଜ୍ଜା କାର୍ଯ୍ୟରେ ସମ୍ପୂର୍ଣ୍ଣ ସମୟ ଦେଇଛନ୍ତି। ପାଠପଢ଼ା ସହିତ ନିଜର କଳା ପ୍ରତିଭାକୁ ବିକଶିତ କରି ବିଦ୍ୟାଳୟ ପାଇଁ ଗର୍ବ ଆଣିଦେବା ସହିତ ସେମାନେ ଅନ୍ୟ ପିଲାମାନଙ୍କ ପାଇଁ ମଧ୍ୟ ପ୍ରେରଣା ପାଲଟିଛନ୍ତି। ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ କେବଳ ଚିତ୍ରକଳା ଓ ହସ୍ତକଳାରେ ପାରଙ୍ଗମ ନୁହନ୍ତି, ଖେଳକୁଦ, ନୃତ୍ୟ, ସଙ୍ଗୀତ ସମେତ ବିଭିନ୍ନ କ୍ଷେତ୍ରରେ ମଧ୍ୟ ସେମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଆସୁଛନ୍ତି।
ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ରାଜ୍ୟ ଓ ଜାତୀୟସ୍ତରରେ ପୁରସ୍କୃତ ହୋଇ ବିଦ୍ୟାଳୟର ନାମକୁ ଗୌରବାନ୍ୱିତ କରିଛନ୍ତି। କୁନି କୁନି ହାତରେ ଗଢ଼ା ମୂର୍ତ୍ତି ଓ ହୃଦୟସ୍ପର୍ଶୀ ସାଜସଜ୍ଜା ମାଧ୍ୟମରେ ପୂର୍ଣ୍ଣଚନ୍ଦ୍ରପୁର ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରମାଣ କରିଛନ୍ତି ଯେ, ସୁଯୋଗ ମିଳିଲେ ପିଲାମାନଙ୍କ ସୃଜନଶୀଳତା ଚମତ୍କାର ସୃଷ୍ଟି କରିପାରେ I ବିଦ୍ୟାଳୟ ପରିସରରେ ଥିବା ଗଣଶିକ୍ଷା ବିଭାଗର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆବାସିକ ବିଦ୍ୟାଳୟ ହଷ୍ଟେଲର ଦେବାଶିଷ ଗିରି, ନୀତିକ କୁଣ୍ଡ, ବିଶ୍ୱନାଥ ମହାନ୍ତ, ରାହୁଲ ବେହେରା, ଦେବାଶିଷ କୁଅଁର, ଗୌରାଙ୍ଗ ବେହେରା ଓ ଶିବ ସିଂହ ପ୍ରମୁଖ ସମ୍ପୂର୍ଣ୍ଣ ନେତୃତ୍ୱ ନେଇ ମୂର୍ତ୍ତି ନିର୍ମାଣ ଓ ସାଜସଜ୍ଜା କରିଥିଲେ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ ଜଣାଇଛନ୍ତି I
