ବାରିପଦା : ବେଟି ବଚାଓ, ବେଟି ପଢ଼ାଓ ଅଭିଯାନ ଅଧୀନରେ ଝିଅ ଓ ମହିଳାମାନଙ୍କୁ ଆର୍ଥିକ ଓ ଡିଜିଟାଲ ସାକ୍ଷରତା, ଆର୍ଥିକ-ସାମାଜିକ ଓ ରାଜନୈତିକ ଅଧିକାର ଏବଂ ସାଇବର ସୁରକ୍ଷା ସମ୍ପର୍କରେ ସଚେତନ ଓ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ବାରିପଦାସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଞ୍ଜୁକ୍ତା ମହାରଣାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କର୍ମଶାଳାରେ ମହିଳା ଓ କିଶୋରୀମାନଙ୍କ ସୁରକ୍ଷା, ସଶକ୍ତୀକରଣ ଓ ସ୍ୱାବଲମ୍ବନ ସହ ଜଡ଼ିତ ବିଭିନ୍ନ ବିଷୟ ଉପରେ ବିଶେଷଜ୍ଞମାନେ ସଚେତନତାମୂଳକ ତଥ୍ୟ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ ।
ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ସଫଳତା ପାଇଁ ପ୍ରତିଭାବାନ ମହିଳା ଓ ଝିଅମାନଙ୍କୁ ସମ୍ମାନିତ କରିଥିଲେ । କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉମାବତୀ ପାତ୍ର, ସଙ୍ଗୀତ କ୍ଷେତ୍ରରେ ସନ୍ତୋଷୀ ବେହେରା ଏବଂ ଶିକ୍ଷା କ୍ଷେତ୍ରରେ ନିଟ୍ ପରୀକ୍ଷାରେ ସଫଳତା ହାସଲ କରିଥିବା ଶିଖା ମାଝୀଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି, ମାଟ୍ରିକ୍ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସମଗ୍ର ଓଡ଼ିଶାରେ ଜିଲ୍ଲାର ଗୌରବ ବଢ଼ାଇଥିବା ପାର୍ଥସାରଥୀ ମହାନ୍ତଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।
କର୍ମଶାଳା ମାଧ୍ୟମରେ ମହିଳା ଓ କିଶୋରୀମାନଙ୍କୁ ଆର୍ଥିକ ଭାବେ ସଚେତନ, ଡିଜିଟାଲ ଭାବେ ସୁରକ୍ଷିତ ଏବଂ ନିଜ ଅଧିକାର ସମ୍ପର୍କରେ ସଶକ୍ତ କରିବା ଦିଗରେ ସଚେତନତା ସୃଷ୍ଟି କରାଯାଇଥିଲା । କର୍ମଶାଳାରେ ଆର୍ଥିକ ସାକ୍ଷରତା ଓ ସଶକ୍ତୀକରଣ ଉପରେ ଅନୁଷ୍ଠିତ ଅଧିବେଶନରେ ନିୟମିତ ସଞ୍ଚୟ, ବ୍ୟାଙ୍କିଂ ସେବାର ସୁବିଧା, ଆର୍ଥିକ ଯୋଜନା, ବଜେଟ୍ ପ୍ରସ୍ତୁତି, ଡିଜିଟାଲ ଆର୍ଥିକ କାରବାର ଏବଂ ବିଭିନ୍ନ ସରକାରୀ ଆର୍ଥିକ ଯୋଜନା ସମ୍ପର୍କରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆର୍ଥିକ ସାକ୍ଷରତା ପରାମର୍ଶଦାତା ସତ୍ୟରଞ୍ଜନ ଦାଶ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏଥିସହ ସୁକନ୍ୟା ସମୃଦ୍ଧି ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ସମେତ ବିଭିନ୍ନ ସରକାରୀ ଆର୍ଥିକ ଯୋଜନାର ସୁଯୋଗ ନେବା ପାଇଁ ଅଂଶଗ୍ରହଣକାରୀମାନଙ୍କୁ ସଚେତନ କରାଯାଇଥିଲା ।
ଆର୍ଥିକ, ସାମାଜିକ ଓ ରାଜନୈତିକ ଅଧିକାର ଅଧିବେଶନରେ ମହିଳା ଓ ଝିଅମାନଙ୍କର ଆଇନଗତ ଓ ସାମାଜିକ ଅଧିକାର, ବିଭିନ୍ନ ସରକାରୀ ଯୋଜନାର ସୁବିଧା ହାସଲ କରିବାର ପ୍ରକ୍ରିୟା, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଅଂଶଗ୍ରହଣ, ନେତୃତ୍ୱ ଏବଂ ନିଷ୍ପତ୍ତି ଗ୍ରହଣରେ ମହିଳାମାନଙ୍କ ଭୂମିକା ସମ୍ପର୍କରେ ବିଶିଷ୍ଟ ଓକିଲ ତଥା ମୟୂରଭଞ୍ଜ ଆଇନ ମହାବିଦ୍ୟାଳୟର ଅଧ୍ୟାପକ ସୁନୀଲ କୁମାର ଜେନା ମାର୍ଗଦର୍ଶନ ପ୍ରଦାନ କରିଥିଲେ ।
ସେହିପରି, ସାଇବର ସୁରକ୍ଷା ଓ ଦାୟିତ୍ୱପୂର୍ଣ୍ଣ ଡିଜିଟାଲ ବ୍ୟବହାର ଉପରେ ଅନୁଷ୍ଠିତ ଅଧିବେଶନରେ ସୋସିଆଲ୍ ମିଡିଆର ସୁରକ୍ଷିତ ବ୍ୟବହାର, ସାଇବର ବୁଲିଂ, ଅନଲାଇନ୍ ହଇରାଣ, ଅନଲାଇନ୍ ଠକେଇ ଓ ସାଇବର ଅପରାଧ ଚିହ୍ନଟ, ଡିଜିଟାଲ ଫୁଟପ୍ରିଣ୍ଟ, ବ୍ୟକ୍ତିଗତ ତଥ୍ୟର ଗୋପନୀୟତା ଏବଂ ସାଇବର ଅପରାଧ ସମ୍ପର୍କିତ ଅଭିଯୋଗ ଦାଖଲ ପ୍ରକ୍ରିୟା ଉପରେ ଜିଲ୍ଲା ସୂଚନା ଅଧିକାରୀ ଅଜୟ କୁମାର ମହାପାତ୍ର ଏବଂ ଅତିରିକ୍ତ ଜିଲ୍ଲା ସୂଚନା ଅଧିକାରୀ ସଙ୍କେତ କୁମାର ପଣ୍ଡା ସଚେତନତା ପ୍ରଦାନ କରିଥିଲେ ।
ଅଂଶଗ୍ରହଣକାରୀମାନଙ୍କୁ ଅଜଣା ଲିଙ୍କ୍ରେ କ୍ଲିକ୍ ନକରିବା, ସନ୍ଦେହଜନକ ଆପ୍ ଡାଉନଲୋଡ୍ ନକରିବା, ଓଟିପି, ପିନ୍, ପାସୱାର୍ଡ ଓ ଅନ୍ୟାନ୍ୟ ଗୋପନୀୟ ତଥ୍ୟ କାହା ସହିତ ଶେୟାର ନକରିବା, ସନ୍ଦେହଜନକ ଫୋନ୍ କଲ୍ ଓ ମେସେଜ୍ ପ୍ରତି ସତର୍କ ରହିବା ସହ ଅନଲାଇନ୍ ଆର୍ଥିକ କାରବାର ସମୟରେ ଆବଶ୍ୟକ ସୁରକ୍ଷାମୂଳକ ପଦକ୍ଷେପ ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୁରକ୍ଷା ଅଧିକାରିଣୀ ସସ୍ମିତା ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା, ବାରିପଦା ଉପଖଣ୍ଡସ୍ତରୀୟ କାର୍ଯ୍ୟକ୍ରମ ଅଧିକାରୀ ମିନତି ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । କର୍ମଶାଳାରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, କିଶୋରୀ, ପରିବାର ପରାମର୍ଶ କେନ୍ଦ୍ରର ସଦସ୍ୟ, ଶକ୍ତି ସଦନର ସଦସ୍ୟ, ସଖୀ ୱାନ୍ ଷ୍ଟପ୍ ସେଣ୍ଟରର ସଦସ୍ୟ ଏବଂ ଜିଲ୍ଲା ମହିଳା ସଶକ୍ତୀକରଣ କେନ୍ଦ୍ରର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ । କର୍ମଶାଳା ମାଧ୍ୟମରେ ମହିଳା ଓ କିଶୋରୀମାନଙ୍କୁ ଆର୍ଥିକ ଭାବେ ସଚେତନ, ଡିଜିଟାଲ ଭାବେ ସୁରକ୍ଷିତ ଏବଂ ନିଜ ଅଧିକାର ସମ୍ପର୍କରେ ସଶକ୍ତ କରିବା ଦିଗରେ ସଚେତନତା ସୃଷ୍ଟି କରାଯାଇଥିଲା ।
