ବାରିପଦା : ପରିବାରର ଆର୍ଥିକ ଅନଟନ ଓ କଠିନ ପରିସ୍ଥିତିକୁ ପଛରେ ପକାଇ ଆନ୍ତର୍ଜାତୀୟ କ୍ରୀଡ଼ା ଜଗତରେ ମୟୂରଭଞ୍ଜର ନାଁ ଚମକାଇଛନ୍ତି ବାରିପଦା ବ୍ଲକ ଅନ୍ତର୍ଗତ ରାଜାବସା ଶିକାରଘାଟିର ଝିଅ ସୁମିତ୍ରା ମୁର୍ମୁ I ଆସନ୍ତା ସେପ୍ଟେମ୍ବର ମାସ ୫ ଓ ୬ ତାରିଖରେ ଚୀନ୍ର କିଙ୍ଗଡାଓଠାରେ ଅନୁଷ୍ଠିତ ହେବାକୁ ଥିବା ୧୮ ବର୍ଷରୁ କମ୍ ଏସିଆ ରଗ୍ବୀ ଏମିରେଟ୍ସ ସେଭେନ୍ସ ଚାମ୍ପିଅନସିପ୍-୨୦୨୬ ପାଇଁ ସେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି I ତାଙ୍କର ଏହି ସଫଳତା ସମଗ୍ର ଜିଲ୍ଲା ଏବଂ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଦେଇଛି। ବାପା ରାମ ମୁର୍ମୁ ବାରିପଦା ମ୍ୟୁନିସିପାଲଟିରେ ଜଣେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବାବେଳେ ମା’ ଶଙ୍ଖୀ ମୁର୍ମୁ ପାରମ୍ପରିକ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରନ୍ତି। ଅଭାବ ଅନଟନ ଭିତରେ ସଂଘର୍ଷ କରି ସୁମିତ୍ରା ଏହି ଶୀର୍ଷରେ ପହଂଚିପାରିଛନ୍ତି ବୋଲି ଫ୍ୟୁଚାର ଷ୍ଟାର ସ୍ପୋର୍ଟସ ଏକାଡେମୀର ପ୍ରତିଷ୍ଠାତା ଓ ତାଙ୍କ ମାର୍ଗଦର୍ଶକ ଦିବ୍ୟରଞ୍ଜନ ଦାସ ପ୍ରକାଶ କରିଛନ୍ତି I
ରାଣୀଭୋଳ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ପଢୁଥିବା ସମୟରୁ ସୁମିତ୍ରା ରଗ୍ବୀ ଖେଳିବା ଆରମ୍ଭ କରିଥିଲେ। ମୟୂରଭଞ୍ଜର ତୃଣମୂଳ ସ୍ତରରୁ କ୍ରୀଡ଼ା ପ୍ରତିଭାକୁ ବିକଶିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଫ୍ୟୁଚର୍ ଷ୍ଟାର୍ ସ୍ପୋର୍ଟସ୍ ଏକାଡେମୀର ପ୍ରଶିକ୍ଷଣ ଏହି ସଫଳତାରେ ଏକ ବଡ଼ ଭୂମିକା ଗ୍ରହଣ କରିଛି। ଗ୍ରାମାଞ୍ଚଳ ଓ ଆଦିବାସୀ ପିଲାମାନଙ୍କୁ ଆନ୍ତର୍ଜାତୀୟ ମଞ୍ଚରେ ପହଞ୍ଚାଇବା ପାଇଁ ଏହି ଅନୁଷ୍ଠାନ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରୁଛି I ୨୦୦୮ ମସିହା ଡିସେମ୍ବର ୩୧ ତାରିଖରେ ଜନ୍ମଗ୍ରହଣ କରିଥିବା ସୁମିତ୍ରା ନିଜର ପ୍ରଚେଷ୍ଟା ବଳରେ ଜୁନିୟର ଜାତୀୟ ରଗ୍ବୀ (୨୦୨୬) ହାଇଦ୍ରାବାଦରେ ସ୍ୱର୍ଣ୍ଣ ପଦକ, ସିନିୟର ଜାତୀୟ ରଗ୍ବୀ (୨୦୨୬) ବିହାରର ରାଜଗିରରେ ସ୍ୱର୍ଣ୍ଣ ପଦକ, ୬୯ତମ ଜାତୀୟ ବିଦ୍ୟାଳୟ କ୍ରୀଡ଼ା (୨୦୨୫-୨୬) ଦିଲ୍ଲୀରେ ସ୍ୱର୍ଣ୍ଣ ପଦକ ହାସଲ କରିବା ସହ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ଏବଂ ବିଭିନ୍ନ ଜାତୀୟ ଜୁନିୟର ପ୍ରତିଯୋଗିତାରେ ସେ ରୌପ୍ୟ ପଦକ ମଧ୍ୟ ଅର୍ଜନ କରିଛନ୍ତି I
ସୁମିତ୍ରାଙ୍କ ଏହି ଗୌରବଜନକ ସଫଳତା ଏବଂ ଫ୍ୟୁଚର୍ ଷ୍ଟାର୍ ସ୍ପୋର୍ଟସ୍ ଏକାଡେମୀର ଏହି ଗର୍ବର ମୁହୂର୍ତ୍ତ ପାଇଁ ସବୁସ୍ତରରୁ ଶୁଭେଚ୍ଛାର ସୁଅ ଛୁଟିଛି। ଖବର ପାଇ ମୟୁରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ, ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଜିଲ୍ଲା କ୍ରୀଡା ଅଧିକାରୀ ଶୁଭାଶିଷ ନାୟକ, ମୟୂରଭଞ୍ଜ ଜିଲ୍ଲା କ୍ରୀଡା ସଂଘ ସମ୍ପାଦକ ବିଜୟ କୁମାର ଦାସ, ଏକାଡେମୀ ନିର୍ଦ୍ଦେଶକ ଅମର କୁମାର ସେଠି, ଉପଦେଷ୍ଟା ସୋମନାଥ ସିଂହ ଓ ମଙ୍ଗଲ ହାଁସଦା, ସହ-ପ୍ରତିଷ୍ଠାତା ରୂପାଲୀ ସୋରେନ, ସାଇ କିରଣ ନାୟକ, ପ୍ରତିଷ୍ଠାତା ଦିବ୍ୟ ରଞ୍ଜନ ଦାସ ଏବଂ କୋଚ୍ ଚନ୍ଦନ ସିଂ ଓ ଅଜିତ କୁମାର ହାଁସଦା ଶୁଭେଚ୍ଛା ଜଣାଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ରଗବୀ ସଙ୍ଘ, ଓଡ଼ିଶା ରଗବୀ ସଂଘ ଏବଂ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗର ସହଯୋଗ ପାଇଁ ଏକାଡେମୀର ସମସ୍ତ ଖେଳାଳୀ ଓ ପ୍ରତିଷ୍ଠାତା ଶ୍ରୀ ଦାସ କୃତଜ୍ଞତା ଜ୍ଞାପନ କରିଛନ୍ତି I
