- ପାସ୍ ହାର ୯୭.୫୨%, ପାର୍ଥସାରଥୀ ମହାନ୍ତ ଜିଲ୍ଲା ଟପ୍ପର
ବାରିପଦା : ଚଳିତବର୍ଷ ମେଟ୍ରିକ୍ ପରୀକ୍ଷାରେ ମୟୂରଭଞ୍ଜ ଜିଲ୍ଲାର ଛାତ୍ରଛାତ୍ରୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଏଥର ଜିଲ୍ଲାର ପାହ୍ ହାର ୯୭.୫୨ ପ୍ରତିଶତ । ଯାହାକି ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଢେର୍ ଭଲ ପ୍ରଦର୍ଶନ କରିଛି । ଚଳିତବର୍ଷ ରେକର୍ଡ ସଂଖ୍ୟକ ୧୪୬ ଜଣ ଛାତ୍ରଛାତ୍ରୀ ଏ୧ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାର୍ଥସାରଥୀ ମହାନ୍ତ ( ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବାରିପଦା) ୫୮୮ ମାର୍କ ରଖି ଜିଲ୍ଲା ଟପ୍ପର ଭାବେ ଖ୍ୟାତି ଅର୍ଜନ କରିଛନ୍ତି ।
ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ “ମେଧାବୀ ମୟୂରଭଞ୍ଜ” ଭଳି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ ତରଫରୁ ହାତକୁ ନିଆଯାଇଥିଲା । ଏଥିରେ ପ୍ରତ୍ୟେକ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ପରୀକ୍ଷା ପାଇଁ ପ୍ରସ୍ତୁତି କରାଯାଉଥିଲା । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ମାଗଣା କୋଚିଂ ବ୍ୟବସ୍ଥା କରାଯାଇଥିଲା । ପିଲାଙ୍କ ପାଠ ପଢାରେ ସହାୟକ ହେବା ପରି ବିଭିନ୍ନ ଇ-କଣ୍ଟେଣ୍ଟ ଯୋଗାଇ ଦିଆଯାଇଥିଲା । ଏହାଦ୍ୱାରା ପିଲାମାନେ ଭଲ ଭାବରେ ପରୀକ୍ଷା ପାଇଁ ପ୍ରସ୍ତୁତି ହୋଇପାରିଥିଲେ । ଯାହାଦ୍ୱାରା ସମଗ୍ର ରାଜ୍ୟରେ ମୟୂରଭଞ୍ଜ ଜିଲ୍ଲା ପାସ୍ ହାରରେ ୧୦ ସ୍ଥାନରେ ରହିଛି । ସେହିପରି ଚଳିତ ବର୍ଷ ଜିଲ୍ଲାର ୨୮୪ଟି ବିଦ୍ୟାଳୟର ପାସ୍ ହାର ଶତ ପ୍ରତିଶତ ରହିଛି ।
