IMG 20260502 WA0066

 “ରଗବୀ ପ୍ରିମିୟର ଲିଗ୍ ୨୦୨୬” ନିଲାମୀ ପ୍ରକ୍ରିୟାରେ ମନୋନୀତ ହେଲେ ସନ୍ଧ୍ୟାରାଣୀ, ପାର୍ବତୀ ଓ ସୁନୀତା 

ରାଜ୍ୟ
 ମୟୂରଭଞ୍ଜ ‘ଫ୍ୟୁଚର ଷ୍ଟାର ସ୍ପୋର୍ଟ ଏକାଡେମୀ’ର ତିନି କନ୍ୟାଙ୍କ କମାଲ
ବାରିପଦା : ମୟୂରଭଞ୍ଜର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ “ଫ୍ୟୁଚର ଷ୍ଟାର ସ୍ପୋର୍ଟ ଏକାଡେମୀ” ର ତିନି ଜଣ ପ୍ରତିଭାବାନ ମହିଳା ରଗବୀ ଖେଳାଳି ଜାତୀୟ ସ୍ତରୀୟ “ରଗବୀ ପ୍ରିମିୟର ଲିଗ୍ – ୨୦୨୬”  ନିଲାମୀ ପ୍ରକ୍ରିୟାରେ ଦେଶର ବିଭିନ୍ନ ଫ୍ରାଞ୍ଚାଇଜ୍ ଦଳ ଦ୍ୱାରା ମନୋନୀତ ହୋଇ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି I ସାନ୍ତାଳ ଜନଜାତିର ଏହି ଝିଅମାନେ ନିଜର କଠିନ ପରିଶ୍ରମ ଓ ଦକ୍ଷତା ବଳରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସଫଳତା ପାଇବା ପରେ ଏବେ ବ୍ୟବସାୟିକ ଲିଗରେ ସ୍ଥାନ ପାଇ ଇତିହାସ ରଚିଛନ୍ତି I ବେତନଟୀ ବ୍ଲକ ରାଧିକାଶୋଳ ଗ୍ରାମର ଅନ୍ତର୍ଜାତୀୟ ରଗଵୀ ଖେଳାଳି ସନ୍ଧ୍ୟାରାଣୀଙ୍କୁ ଚେନ୍ନାଇ ବୁଲ୍ସ ଦଳ ସର୍ବାଧିକ ୧.୪ ଲକ୍ଷ ଟଙ୍କାରେ କିଣିଛି I
ନିକଟରେ ସେ ବିହାରର ରାଜଗିରଠାରେ ଅନୁଷ୍ଠିତ ସିନିୟର ନ୍ୟାସନାଲ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ I ବାରିପଦା ସଦର ବ୍ଲକ ଭୁରୁଡୁବଣୀ ଗ୍ରାମର ଅନ୍ତର୍ଜାତୀୟ ରଗଵୀ ଖେଳାଳି ପାର୍ବତୀ ହାଁସଦାଙ୍କୁ କୋଲକାତା ବାଙ୍ଗା ଟାଇଗର୍ସ ଦଳ ୭୦ ହଜାର ଟଙ୍କାରେ କିଣି ଦଳଭୁକ୍ତ କରିଛି I ପାର୍ବତୀ ଏସିଆନ ରଗବୀ ୧୮ ବର୍ଷରୁ କମ ଚାମ୍ପିଅନସିପ୍ ଭଳି ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରି ସଫଳତା ପାଇଛନ୍ତି I ବାରିପଦା ବ୍ଲକ ରଙ୍ଗାମାଟିଆ ଗ୍ରାମର ସୁନୀତା ହାଁସଦାଙ୍କୁ ମୁମ୍ବାଇ ଡ୍ରିମର୍ସ  ଦଳ ୫୦ ହଜାର ଟଙ୍କାରେ କିଣି ନିଜ ଦଳରେ ସାମିଲ କରିଛି I ସୁନୀତା ଜାତୀୟ ସ୍ତରରେ ଅନେକ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତି ଜଣେ ପ୍ରତିଷ୍ଠିତ ଖେଳାଳି ଭାବେ ଉଭା ହୋଇଛନ୍ତି I ଖେଳାଳିଙ୍କ ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ଏକାଡେମୀ ତରଫରୁ ଓଡ଼ିଶା ରଗବୀ ଫୁଟବଲ ଆସୋସିଏସନ, ମୟୂରଭଞ୍ଜ ଜିଲ୍ଲା ରଗବୀ ଫୁଟବଲ ଆସୋସିଏସନ, କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ସରକାର, ରଗବୀ ଇଣ୍ଡିଆ, ଜିଲ୍ଲା କ୍ରୀଡ଼ା ସଂଘ ମୟୂରଭଞ୍ଜ, ଜିଲ୍ଲା ପ୍ରଶାସନ, ମୟୂରଭଞ୍ଜ ଫାଉଣ୍ଡେସନ, ସିମ୍ପଲି ସ୍ପୋର୍ଟସ ଫାଉଣ୍ଡେସନ, ଦୁରାମିକ୍ସ, ରୋଟାରାକ୍ଟ ବାରିପଦା ଏବଂ ସମସ୍ତ ଶୁଭେଚ୍ଛୁଙ୍କୁ ସେମାନଙ୍କର ଅକୁଣ୍ଠ ସହଯୋଗ ଓ ମାର୍ଗଦର୍ଶନ ପାଇଁ କୃତଜ୍ଞତା ଜ୍ଞାପନ କରାଯାଇଛି I
ମୟୂରଭଞ୍ଜ ଜିଲ୍ଲାରେ କ୍ରୀଡ଼ା ପ୍ରତିଭା ଚୟନ ଏବଂ ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରି ‘ଫ୍ୟୁଚର ଷ୍ଟାର ସ୍ପୋର୍ଟ ଏକାଡେମୀ’ ବହୁ ଜାତୀୟ ଓ ଆନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିପାରିଛି I ଖବର ପାଇ ମୟୁରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ, ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ମୟୂରଭଞ୍ଜ ଜିଲ୍ଲା କ୍ରୀଡା ସଂଘ ସମ୍ପାଦକ ବିଜୟ କୁମାର ଦାସ, ଏକାଡେମୀ ନିର୍ଦ୍ଦେଶକ ଅମର କୁମାର ସେଠି, ଉପଦେଷ୍ଟା ସୋମନାଥ ସିଂହ, ମଙ୍ଗଲ ହାଁସଦା, ସହ-ପ୍ରତିଷ୍ଠାତା ରୂପାଲୀ ସୋରେନ, ସାଇ କିରଣ ନାୟକ, ପ୍ରତିଷ୍ଠାତା ଦିବ୍ୟ ରଞ୍ଜନ ଦାସ ଏବଂ କୋଚ୍ ଚନ୍ଦନ ସିଂ ଓ ଅଜିତ କୁମାର ହାଁସଦା ତିନି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ଲିଗରେ ସଫଳତା କାମନା କରିଛନ୍ତି I