କଟକ: ଆନନ୍ଦ ଓ ଉତ୍ସାହର ମାହୋଲ ଭିତରେ ହଠାତ୍ ଖେଳିଗଲା ଶୋକର ଛାୟା। କଟକ ବାଲିଯାତ୍ରାରେ ଘଟିଛି ଏକ ଅତ୍ୟନ୍ତ ଦୁଃଖଦ ଅଘଟଣ। ଫେରିସ୍ ହ୍ୱିଲ୍ ବା ରାମଦୋଳିରୁ ଖସିପଡ଼ି ଜଣେ ଯୁବକଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁବାର ରାତିରେ ଘଟିଥିବା ଏହି ଘଟଣା ପୂରା ମେଳା ପରିସରରେ ଆତଙ୍କ ଖେଳାଇ ଦେଇଛି।
ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ ୧୦ଟା ସମୟରେ ବାଲିଯାତ୍ରାର ଲୋୟର ପଡ଼ିଆରେ ଥିବା ‘କଟକ ଇନ୍ କଟକ’ ପାଭିଲିୟନ ନିକଟରେ ଏହି ଅଘଟଣ ଘଟିଥିଲା। ଦୁଇ ଯୁବକ ଫେରିସ୍ ହ୍ୱିଲ୍ରେ ବସିଥିବା ବେଳେ କୌଣସି କାରଣରୁ ଉଭୟ ତଳକୁ ଖସିପଡ଼ିଥିଲେ। ତେବେ କେଉଁ ପରିସ୍ଥିତିରେ ଦୁଇ ଜଣ ଦୋଳିରୁ ଖସିଲେ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।
ଘଟଣା ଜଣାପଡ଼ିବା ମାତ୍ରେ ବାଲିଯାତ୍ରା ପଡ଼ିଆରେ ମୁତୟନ ଥିବା ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତ ଦୁଇ ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ କଟକର ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଡାକ୍ତରଖାନାରେ ପହଞ୍ଚିବା ପରେ ପ୍ରାୟ ୨୫ ବର୍ଷୀୟ ଜଣେ ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟପଟେ ପ୍ରାୟ ୩୦ ବର୍ଷ ବୟସ୍କ ଆଉ ଜଣେ ଯୁବକ ଗୁରୁତର ଅବସ୍ଥାରେ ଏସ୍ସିବିରେ ଚିକିତ୍ସାଧୀନ ଅଛନ୍ତି। ମୃତ ଯୁବକଙ୍କ ପରିଚୟ ଏଯାଏଁ ଜଣାପଡ଼ିନାହିଁ।
ଏହି ଘଟଣା ପରେ ବାଲିଯାତ୍ରାରେ ଲାଗିଥିବା ମନୋରଞ୍ଜନ ଦୋଳିଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଦୋଳିରେ କୌଣସି ଯାନ୍ତ୍ରିକ ତ୍ରୁଟି ଥିଲା ନା ଅନ୍ୟ କୌଣସି କାରଣରୁ ଏଭଳି ଘଟିଲା, ତାହା ତଦନ୍ତ ପରେ ଜଣାପଡ଼ିବ।
ସୂଚନାଯୋଗ୍ୟ, ଗତ ୨୦୨୫ ମସିହା ବାଲିଯାତ୍ରା ସମୟରେ ମଧ୍ୟ ଏକ ଫେରିସ୍ ହ୍ୱିଲ୍ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୮ ଜଣ ଲୋକ ଉପରେ ଫସି ରହିଥିଲେ। ଏବେ ପୁଣି ଚଳିତ ବର୍ଷ ଏଭଳି ଏକ ଦୁଃଖଦ ଘଟଣା ଘଟିବା ପରେ ମେଳାରେ ଲୋକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ବାଲିଯାତ୍ରାର ଆନନ୍ଦ ମଧ୍ୟରେ ଘଟିଥିବା ଏହି ଅଘଟଣ ଅନେକ ପ୍ରଶ୍ନ ଛିଡ଼ା କରିଛି। ଦୋଳିର ସୁରକ୍ଷା ଯାଞ୍ଚ କେତେ ଠିକ୍ ଭାବେ ହୋଇଥିଲା, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ।
