ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ବାରିପଦା ପକ୍ଷରୁ ନବାଗତ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ପରିବେଶ, ପାଠ୍ୟକ୍ରମ, ନିୟମାବଳୀ, ଭିତ୍ତିଭୂମି ଓ ବିଭିନ୍ନ ସୁବିଧା ସମ୍ପର୍କରେ ଅବଗତ କରାଇବା ଉଦ୍ଦେଶ୍ୟରେ ନଭେମ୍ବର ୨୦ ତାରିଖରେ ବିଶ୍ୱବିଦ୍ୟାଳୟର କନଭେନସନ୍ ହଲ୍ରେ ‘ଦୀକ୍ଷାରମ୍ଭ-୨୦୨୬’ ଛାତ୍ରଛାତ୍ରୀ ଅନୁସ୍ଥାପନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଉଦ୍ଘାଟନୀ ଅଧିବେଶନରେ ଯୋଗଦେଇ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟରେ ଉପଲବ୍ଧ ସୁଯୋଗ ଓ ସୁବିଧାର ସଦୁପଯୋଗ କରିବା ସହ ଜ୍ଞାନ, ଗବେଷଣା, ନବସୃଜନ, ଶୃଙ୍ଖଳା ଓ ସାମାଜିକ ଦାୟିତ୍ୱବୋଧକୁ ନିଜ ଶିକ୍ଷାଜୀବନର ଅଂଶ କରିବାକୁ ଆହ୍ୱାନ ଦେଇଥିଲେ ।
ସେ ଛାତ୍ରଛାତ୍ରୀମାନଙ୍କୁ ଶୈକ୍ଷିକ ଉତ୍କର୍ଷ, ସତ୍ୟନିଷ୍ଠା, ନବସୃଜନ ଓ ସହପାଠ୍ୟକ୍ରମ କାର୍ଯ୍ୟକଳାପରେ ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ନିଜର ସାମଗ୍ରିକ ବ୍ୟକ୍ତିତ୍ୱର ବିକାଶ କରିବାକୁ ପରାମର୍ଶ ଦେଇଥିଲେ । ନିଜ ଅଭିଭାଷଣରେ ସେ ଶିକ୍ଷାର ସାତଟି ମୌଳିକ ଦିଗ ଉପରେ ଗୁରୁତ୍ୱ ଦେଇ କୌତୂହଳ ଓ ଜିଜ୍ଞାସା ମାଧ୍ୟମରେ ଶିଖିବା, କାର୍ଯ୍ୟ କରି ଶିଖିବା, ଭୁଲ୍ରୁ ଶିକ୍ଷା ଗ୍ରହଣ କରିବା, ନିରନ୍ତରତା ମାଧ୍ୟମରେ ଶିଖିବା, ତରବରିଆ ଭାବେ ନୁହେଁ ବରଂ ଗଭୀର ଭାବେ ଜ୍ଞାନ ଆହରଣ କରିବା, ଅନ୍ୟମାନଙ୍କ ସହ ମିଶି ଶିଖିବା ଏବଂ ଜୀବନବ୍ୟାପୀ ଶିକ୍ଷା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ଅଭିଯୋଗ ଓ ତୁଳନା କରିବା, ବିଫଳତା ପାଇଁ ଅନ୍ୟକୁ ଦୋଷାରୋପ କରିବା ଏବଂ ବିଳମ୍ବରେ ଶଯ୍ୟାତ୍ୟାଗ କରିବା ଭଳି ଅଭ୍ୟାସ ପରିତ୍ୟାଗ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ଜୀବନରେ ସଫଳତା ହାସଲ ପାଇଁ ସାତଟି ଧାରା ଯଥା—ସୁଅଭ୍ୟାସ, କଠିନ ପରିଶ୍ରମ, ବିନମ୍ରତା, ସତ୍ୟନିଷ୍ଠା, ସ୍ୱାସ୍ଥ୍ୟ, ଆଶା ଓ ଜ୍ଞାନ ଆହରଣ ପାଇଁ ଅଦମ୍ୟ ଆଗ୍ରହକୁ ଜୀବନରେ ଆପଣାଇବାକୁ ସେ ପରାମର୍ଶ ଦେଇଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ରାଜେଶ କୁମାର ସିଂହ ପ୍ରାରମ୍ଭିକ ଅଭିଭାଷଣରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହ ଶୈକ୍ଷିକ ଶୃଙ୍ଖଳା, ନୈତିକତା, ନିୟମିତ ଉପସ୍ଥାନ ଓ ଉତ୍ତମ ଆଚରଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।
ସେ ପାଠ୍ୟକ୍ରମର ଗଠନ, ଓପନ୍ ଇଲେକ୍ଟିଭ୍, ଉପସ୍ଥାନ ବାଧ୍ୟତାମୂଳକତା, ଆଚରଣ ସଂହିତା, ଶୃଙ୍ଖଳାଗତ ବ୍ୟବସ୍ଥା ଓ ଛାତ୍ରାବାସ ସୁବିଧା ସମ୍ପର୍କରେ ବୁଝାଇଥିଲେ । ପରୀକ୍ଷା ନିୟନ୍ତ୍ରକ ଡ. ସୁବ୍ରତ କୁମାର ରଣା ପରୀକ୍ଷା ପଦ୍ଧତି, ମୂଲ୍ୟାୟନ ବ୍ୟବସ୍ଥା, ଗ୍ରେଡିଂ, ଶୈକ୍ଷିକ କ୍ୟାଲେଣ୍ଡର, ମୁକ୍ତ ଅନଲାଇନ୍ ପାଠ୍ୟକ୍ରମ, ନ୍ୟାସନାଲ ଏକାଡେମିକ୍ ଡିପୋଜିଟୋରି ଓ ‘ଅପାର’ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ । ଅର୍ଥ ନିୟନ୍ତ୍ରକ ଶ୍ରୀ ଭରତ ଚନ୍ଦ୍ର ଦେହୁରୀ ବିଶ୍ୱବିଦ୍ୟାଳୟର ଫିସ୍ ଓ ଦେୟ ପ୍ରଦାନ ପଦ୍ଧତି ସମ୍ପର୍କରେ ଅବଗତ କରାଇଥିଲେ । ମୟୂରଭଞ୍ଜ ସାଇବର ପୋଲିସ୍ର ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଜୟ କୁମାର ଜେନା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସାଇବର ଅପରାଧ, ଆର୍ଥିକ ଅପରାଧ ଓ ଅନଲାଇନ୍ ସୁରକ୍ଷା ସମ୍ପର୍କରେ ସଚେତନ କରାଇଥିଲେ । ପରବର୍ତ୍ତୀ ବୈଷୟିକ ଅଧିବେଶନରେ କମ୍ପ୍ୟୁଟର ପ୍ରୟୋଗ ବିଭାଗର ସହକାରୀ ପ୍ରଫେସର ଡ. ପ୍ରଶାନ୍ତ କୁମାଋ ସ୍ୱାଇଁ କେନ୍ଦ୍ରୀୟ ପାଠାଗାର, ଛାତ୍ରାବାସ, କ୍ୟାଣ୍ଟିନ୍, ଡିଜିଟାଲ ଶିକ୍ଷା ସମ୍ବଳ, ଲର୍ଣ୍ଣିଂ ମ୍ୟାନେଜମେଣ୍ଟ ସିଷ୍ଟମ୍, ୱାଇ-ଫାଇ, କମ୍ପ୍ୟୁଟର କେନ୍ଦ୍ର, ଇନ୍ଡୋର ଷ୍ଟାଡିୟମ୍, କ୍ରିକେଟ୍ ପଡ଼ିଆ, ଜିମ୍ନାସିୟମ୍ ଓ ସଂଗ୍ରହାଳୟ ଆଦି କ୍ୟାମ୍ପସ୍ ସୁବିଧା ସମ୍ପର୍କରେ ବୁଝାଇଥିଲେ । କମ୍ପ୍ୟୁଟର ପ୍ରୟୋଗ ବିଭାଗର ପ୍ରଫେସର ଏମ୍. ହିମବିନ୍ଦୁ ବିଶ୍ୱବିଦ୍ୟାଳୟର ଗବେଷଣା ଓ ବିକାଶମୂଳକ କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା କରିଥିଲେ । ଜାତୀୟ ଶିକ୍ଷାନୀତି ସଂଯୋଜିକା ପ୍ରଫେସର କବିତା କୁମାରୀ ସାହୁ ଜାତୀୟ ଶିକ୍ଷାନୀତି-୨୦୨୦ର ପ୍ରମୁଖ ବୈଶିଷ୍ଟ୍ୟ ଓ ବିଶ୍ୱବିଦ୍ୟାଳୟରେ ଏହାର କାର୍ଯ୍ୟକାରିତା ସମ୍ପର୍କରେ ବୁଝାଇଥିଲେ ।
ପ୍ରାଣୀ ବିଜ୍ଞାନ ବିଭାଗର ଡ. ପ୍ରିୟ ରଞ୍ଜନ ଦେବତା ଆଣ୍ଟି-ରାଗିଂ କମିଟି ଓ ସ୍କ୍ୱାଡ୍, ଅଭିଯୋଗ ସମାଧାନ କେନ୍ଦ୍ର, ଷ୍ଟାର୍ଟଅପ୍ ଓ ଉଦ୍ୟୋଗିତା, କ୍ୟାରିୟର କାଉନସେଲିଂ, ଇଣ୍ଟର୍ନସିପ୍, ଛାତ୍ରବୃତ୍ତି, ପୂର୍ବତନ ଛାତ୍ର ସେଲ୍, ଏନ୍ଏସ୍ଏସ୍ ଓ ରେଡ୍କ୍ରସ୍ ଭଳି ଛାତ୍ର ସହାୟତା ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ । ଆଇକ୍ୟୁଏସି ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ କୁମାର ନାୟକ ଏନ୍ଆଇଆର୍ଏଫ୍ ଓ ନାକ୍ ମାଧ୍ୟମରେ ବିଶ୍ୱବିଦ୍ୟାଳୟର ମାନ୍ୟତା ଓ ମୂଲ୍ୟାୟନ ପ୍ରକ୍ରିୟା ବିଷୟରେ କହିଥିବାବେଳେ ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ପ୍ରିୟଦର୍ଶିନୀ ସଂଘମିତ୍ରା ସାହୁ ଆଭ୍ୟନ୍ତରୀଣ କମିଟିର ଭୂମିକା ଓ ଏକ ସୁରକ୍ଷିତ କ୍ୟାମ୍ପସ୍ ଗଠନର ଆବଶ୍ୟକତା ଉପରେ ମତ ରଖିଥିଲେ । ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ବିଷ୍ଣପ୍ରିୟା ହାଁସଦା ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଯୋଗଦାନ କରିଥିଲେ ।
