ନୂଆଦିଲ୍ଲୀ: ନୂଆଦିଲ୍ଳୀରେ ଅନୁଷ୍ଠିତ ସଂଘାଇ କୋଅପରେସନ ଅର୍ଗାନାଇଜେସନ (ଏସସିଓ) ବୈଠକରେ ଯୋଗଦେବାକୁ ଭାରତ ଆସିଥିବା ପାକିସ୍ତାନ ପରିବେଶ ମନ୍ତ୍ରୀ ମୁଶାଦିକ ମଲ୍ଲିକ ଆଗ୍ରାସ୍ଥିତ ତାଜମହଲ ଓ ନିଜମୁଦ୍ଦିନ ଦର୍ଘା ଦେଖିବାକୁ ମନ ବଳାଇଛନ୍ତି । ନଭେମ୍ବର ୨୦ରୁ ୨୨ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ଏସ୍ସିଓ ବୈଠକରେ ଯୋଗଦେବାକୁ ମୁଶାଦିକ ଭାରତ ଆସିଥିବା ଅବସରରେ ଏପରି ଇଚ୍ଛା ପ୍ରକାଶ କରିଛନ୍ତି । ତେବେ ତାଙ୍କ ଏଇ ଇଚ୍ଛା ବାଟରେ ପ୍ରତିବନ୍ଧକ ସାଜିଛନ୍ତି ଭାରତ ସରକାର । କେବଳ ଏସସିଓ ବୈଠକରେ ଯୋଗଦେବାକୁ ତାଙ୍କୁ ଅନୁମତି ମିଳିଛି । ଏହା ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ବୁଲିବାକୁ ଯିବାକୁ ହେଲେ ଭାରତ ସରକାରଙ୍କ ଅନୁମତି ଦରକାର ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ଏଯାବତ ଭାରତ ସରକାର ମଲ୍ଲିକଙ୍କ ଏହି ଇଚ୍ଛା ଉପରେ ବିଚାର କରିନାହାନ୍ତି ।
ସୁରକ୍ଷା ଦୃଷ୍ଟିକୋଣକୁ ନେଇ ଭାରତ ସରକାର ଏ ଦିଗରେ ବିଚାର କରୁଛନ୍ତି । ତେଣୁ ଏ ନେଇ ବିଧିବଦ୍ଧ ଅନୁମତିପତ୍ରକୁ ଅପେକ୍ଷା କରିବାକୁ ପାକ ମନ୍ତ୍ରୀଙ୍କୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ଜମ୍ମୁ କାଶ୍ମୀର ପେହେଲଗାମ୍ ଉପରେ ଆତଙ୍କବାଦୀ ଆକ୍ରମଣ ଓ ତା ପରେ ଭାରତର ଅପରେସନ ସିନ୍ଦୂର ପରେ କୌଣସି ପାକିସ୍ତାନ ମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ । ଏହା ପୂର୍ବରୁ ୨୦୨୩ରେ ଗୋଆଠାରେ ଅନୁଷ୍ଠିତ ଏସ୍ଇଓ ବୈଠକରେ ପାକିସ୍ତାନର ତତ୍କାଳୀନ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ଯୋଗ ଦେଇଥିଲେ । ପ୍ରକାଶ ଥାଉ କି ୨୦୦୧ ମସିହାରେ ଚୀନର ସଂଘାଇଠାରେ ରୁଷ୍, ଚୀନ୍, କିରଗିଜ ରିପବ୍ଲିକ, କାଜାକସ୍ଥାନ, ତାଜିକିସ୍ଥାନ ଏବଂ ଉଜ୍ବେକିସ୍ଥାନର ରାଷ୍ଟ୍ରପତିମାନଙ୍କୁ ନେଇ ସଂଘାଇ କୋଅପରେସନ ଅର୍ଗାନାଇଜେସନ ଗଠିତ ହୋଇଥିଲା । ୨୦୧୭ ମସିହାରେ ଭାରତ ଓ ପାକିସ୍ତାନ ଏବଂ ୨୦୨୩ ମସିହାରେ ଇରାନ ଏହାର ସ୍ଥାୟୀ ସଦସ୍ୟ ଭାବେ ଯୋଗ ଦେଇଥିଲେ ।
