ବାରିପଦା : ସ୍ଥାନୀୟ ବେଲଗଡ଼ିଆ ଐତିହାସିକ ପ୍ୟାଲେସ ପରିସରରେ ଆକ୍ସିସ ବ୍ୟାଙ୍କ ଫାଉଣ୍ଡେସନର ସହଯୋଗରେ କଣ୍ଟାକ୍ଟ ବେସ ବାଙ୍ଗଲା ନାଟକ ଡଟକମ ଆନୁକୂଲ୍ୟରେ ଚଳିତ ମାସ ୨୭ ରୁ ୨୯ ତାରିଖ ମୟୁରଭଞ୍ଜ ଜୀବନ୍ତ ଐତିହ୍ୟ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଅଛି I ଏହି ଉତ୍ସବ ଜିଲ୍ଲାର ନୃତ୍ୟ, ସଂଗୀତ, ହସ୍ତଶିଳ୍ପ ସମ୍ବନ୍ଧୀୟ ସମୃଦ୍ଧ ପରମ୍ପରାଗୁଡିକୁ ଗୋଟିଏ ମଞ୍ଚରେ ସମସ୍ତଙ୍କୁ ଏକତ୍ରିତ କରିବ ବୋଲି ଛଉ ଗବେଷକ ସୁଧୀର କୁମାର ନାୟକ ଜଣାଇଛନ୍ତି I ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ବାଙ୍ଗଲା ନାଟକ ଡଟକମ ଓ କଣ୍ଟାକ୍ଟବେସର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାଞ୍ଜନ ରାୟ ଚୌଧୁରୀ, ମୁଖ୍ୟ ପ୍ରବନ୍ଧକ ପ୍ରବୀର ବେନର୍ଜି ଅଭିପ୍ସା ଘୋଷ, ଛଉ ଗୁରୁ ଲୋକନାଥ ଦାସ ଓ ଛଉ ଗବେଷକ ସୁଧୀର କୁମାର ନାୟକ ଉପସ୍ଥିତ ରହି ମହୋତ୍ସବର ରୂପରେଖ ଉପରେ ଆଲୋକପାତ କରିଥିଲେ I ଏହି ମହୋତ୍ସବ କଣ୍ଟାକ୍ଟ ବେସ ଦ୍ୱାରା ମୟୁରଭଞ୍ଜର ୧୬୦୦ ରୁ ଅଧିକ କଳାକାରଙ୍କ ସହ କରାଯାଇଥିବା କାର୍ଯ୍ୟ ଉପରେ ଆଧାରିତ I ଏହି ପ୍ରୟାସ ମାଧ୍ୟମରେ ବିଭିନ୍ନ ହସ୍ତଶିଳ୍ପ, ପରିବେଷଣ କଳା କ୍ଷେତ୍ରରେ ଜଡିତ କଳାକାରମାନଙ୍କୁ ଦକ୍ଷତା ବିକାଶ, ଡିଜାଇନ ପ୍ରସ୍ତୁତି ଏବଂ ବଜାର ସୁଯୋଗ ଯୋଗାଇ ଦିଆଯାଇଛି I
ଏଥିରେ ବାରିପଦା ଆଖପାଖ ଅଂଚଳର ସବାଇ ଘାସ ଓ ଢ଼ୋକ୍ରା ଶିଳ୍ପୀ ଏବଂ ରାଇରଙ୍ଗପୁରର ବାଉଁଶ କାରିଗର ଓ କାଶୀ ଘାସର ସାମଗ୍ରୀ ପ୍ରସ୍ତୁତ କରୁଥିବା କାରିଗର ତଥା ମୟୁରଭଞ୍ଜ ଛଉ ନୃତ୍ୟଶିଳ୍ପୀ ମାନଙ୍କ ପାଇଁ ଦକ୍ଷତା ବିକାଶ ଅନ୍ତର୍ଭୁକ୍ତ I ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବରେ ସ୍ପେନ ଓ ଯୁକ୍ତରାଜ୍ୟର କଳାକାରମାନେ ମୟୁରଭଞ୍ଜ ଓ ବଙ୍ଗଳାର ପାରମ୍ପାରିକ କଳାକାରମାନଙ୍କ ସହ ଏକତ୍ରିତ ହେବେ ଏବଂ ପୂର୍ବ ଭାରତର ତିନୋଟି ସ୍ୱତନ୍ତ୍ର ଛଉ ପରମ୍ପରା ମୟୁରଭଞ୍ଜ, ପୁରୁଳିଆ ଓ ସରାଇକେଲା ଛଉକୁ ମଧ୍ୟ ଏକାଠି ହେବେ I ୨୭ ତାରିଖ ଦିନ ସ୍ପେନର “ଲା ଫୁରିଆ ଡେ ଲୋସ ପାଜାରୋଶ ଓ ବାରିପଦାର “ଉତ୍ତରସାହି ଛଉ ନୃତ୍ୟ ପ୍ରତିଷ୍ଠାନ” ଏବଂ ସ୍ପେନ ଓ ପୁରୁଳିଆ ଛଉ ମିଳିତ ଭାବେ କାର୍ଯ୍ୟକ୍ରମ ପରିବେଷଣ କରିବେ I ୨୮ ତାରିଖରେ ୟୁ କେ କଳାକାରମାନଙ୍କ ଏକ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ପାରିବେଷିତ ହେବ I ୨୭ ତାରିଖ ଅପରାହ୍ନ ୩ଟା ରେ ଉଦଘାଟନୀ କାର୍ଯ୍ୟକ୍ରମ ରହିଛି ଓ ୨୮ ଓ ୨୯ ତାରିଖ ୧୦ଟା ରୁ ୫ଟା କାର୍ଯ୍ୟକ୍ରମ ଚାଲିବ I ବହୁ ସଂଖ୍ୟାରେ ଉପସ୍ଥିତ ରହି ମହୋତ୍ସବକୁ ଉପଭୋଗ କରିବାକୁ ଆୟୋଜକଙ୍କ ତରଫରୁ ଅନୁରୋଧ କରାଯାଇଛି I
