ବାରିପଦା: ୨୦୨୮ ସୁଦ୍ଧା ଓଡ଼ିଶାକୁ ଶିଶୁ ଶ୍ରମିକମୁକ୍ତ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ୪୪ ଦିନିଆ ସଚେତନତା ଅଭିଯାନର ଅଂଶସ୍ୱରୂପ ମୟୂରଭଞ୍ଜ ଜିଲ୍ଲାରେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ ସବୁଜ ପତାକା ଦେଖାଇ ଏହି ସଚେତନତା ରଥର ଶୁଭାରମ୍ଭ କରିଥିଲେ ।
ଏହି ଅଭିଯାନ ମାଧ୍ୟମରେ ଶିଶୁ ଶ୍ରମିକ ନିୟୋଜନର କୁପରିଣାମ, ଶିଶୁମାନଙ୍କ ଅଧିକାର ଓ ସେମାନଙ୍କ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବ । ଏହି ଭ୍ରାମ୍ୟମାଣ ସଚେତନତା ରଥ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ ପରିକ୍ରମା କରି ଶିଶୁ ଶ୍ରମିକ ନିୟୋଜନ ବିରୋଧରେ ଜନସାଧାରଣଙ୍କୁ ସଚେତନ କରିବ । ଏହି ଅବସରରେ ଶ୍ରମ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯାଞ୍ଚ ଓ ଚଢ଼ାଉ କରାଯାଇ ଜଣେ ଶିଶୁ ଶ୍ରମିକ ଏବଂ ଦୁଇ ଜଣ କିଶୋର ଶ୍ରମିକଙ୍କୁ କାର୍ଯ୍ୟରୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଶିଶୁ ଓ କିଶୋରମାନଙ୍କ ସୁରକ୍ଷା ତଥା ଥଇଥାନ ଦିଗରେ ଆବଶ୍ୟକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି ।
ଏଥିସହିତ ବିଦ୍ୟାଳୟରୁ ଅଧାରୁ ପାଠପଢ଼ା ଛାଡ଼ିଥିବା ପିଲାମାନଙ୍କୁ ପୁନର୍ବାର ବିଦ୍ୟାଳୟକୁ ଫେରାଇ ଆଣିବା ଏବଂ ସେମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଏହି ଅଭିଯାନ ମାଧ୍ୟମରେ ସ୍ୱତନ୍ତ୍ର ପ୍ରୟାସ କରାଯାଉଛି । ଏହି କାର୍ଯ୍ୟକ୍ରମରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ନରେନ୍ଦ୍ର ଗଇପାଇ, ଜିଲ୍ଲା ଶ୍ରମ ଅଧିକାରୀ ନିରଞ୍ଜନ ନାୟକ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତା ବିଶ୍ୱାଳଙ୍କ ସମେତ ଶ୍ରମ କାର୍ଯ୍ୟାଳୟର ସହକାରୀ ଶ୍ରମ ଅଧିକାରୀଗଣ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।
