- ସୁରକ୍ଷିତ ଭବିଷ୍ୟତ ପାଇଁ ନିୟମିତ ସଞ୍ଚୟ ଓ ଆର୍ଥିକ ସଚେତନତା ଉପରେ ଗୁରୁତ୍ୱ
ବାରିପଦା: ନିୟମିତ ସଞ୍ଚୟ ଅଭ୍ୟାସ ଗଢ଼ିତୋଳିବା, ସ୍ୱଳ୍ପ ସଞ୍ଚୟ ଯୋଜନା ସମ୍ପର୍କରେ ଜନସଚେତନତା ବୃଦ୍ଧି ଏବଂ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ-୨୦୨୬ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ସଭାଗୃହରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ସରକାରଙ୍କ ଅର୍ଥ ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନାର ସୁଯୋଗ ନେବାକୁ ସମାଜର ସମସ୍ତ ବର୍ଗର ଲୋକଙ୍କୁ ଆହ୍ୱାନ କରିଥିଲେ । ନିୟମିତ ସଞ୍ଚୟ ଅଭ୍ୟାସ ବ୍ୟକ୍ତି ଓ ପରିବାରର ଆର୍ଥିକ ସ୍ଥିରତା ସହ ଭବିଷ୍ୟତର ଆବଶ୍ୟକତା ପୂରଣରେ ସହାୟକ ହୋଇଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ ।
ସମ୍ମାନିତ ଅତିଥି ଭାବେ ସାଇବର ସୁରକ୍ଷା ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରଦୀପ କୁମାର ମାଝୀ ଯୋଗଦେଇ ସାଇବର ଠକେଇର ବିଭିନ୍ନ ପ୍ରକାର, ଅନଲାଇନ୍ ଆର୍ଥିକ କାରବାର ସମୟରେ ଅବଲମ୍ବନୀୟ ସତର୍କତା ଏବଂ ସାଇବର ସୁରକ୍ଷା ସମ୍ପର୍କରେ ସଚେତନ କରାଇଥିଲେ । ସେହିପରି ଡାକ ବିଭାଗର ଡାକ ନିରୀକ୍ଷକ ସଦାଶିବ ରାଉତ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଚଳିତ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା, ସେଗୁଡ଼ିକର ସୁବିଧା ଓ ଉପଯୋଗିତା ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଥିଲେ ।
କାର୍ଯ୍ୟକ୍ରମରେ ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ଅଧିକାରୀ ସୀରପାଣି ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବିଶ୍ୱ ମିତବ୍ୟୟିତା ଦିବସର ଇତିହାସ, ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ, ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତା ଏବଂ ସାଧାରଣ ନାଗରିକମାନେ ଯୋଗଦେଇଥିଲେ । କନିଷ୍ଠ ରାଜସ୍ୱ ସହାୟକ ମହେନ୍ଦ୍ର ସୋରେନ, ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତା ପ୍ରବାଳ କାନ୍ତି ଘୋଷ, ବସନ୍ତ କୁମାର ମହାପାତ୍ର, ଗୌତମ କୁମାର ସି ଓ ଶ୍ରୀ ମାନସ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ ।
