IMG 20261029 WA0273

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

ରାଜ୍ୟ
ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଅକ୍ଟୋବର ୨୬ ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ‘ସାଧୁତାରୁ ସମୃଦ୍ଧି’ ଶୀର୍ଷକ ଏହି ସଚେତନତା ସପ୍ତାହ ପାଳନ ଅବସରରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ ।
କୁଳପତି ପ୍ରଫେସର ମହାନ୍ତି କର୍ମଚାରୀମାନଙ୍କ ମଧ୍ୟରେ ସଚ୍ଚୋଟତା, ନିଷ୍ଠା ଓ ଦାୟିତ୍ୱବୋଧକୁ ଆହୁରି ସୁଦୃଢ଼ କରିବା ସହ ସାଧୁତା ଓ ସ୍ୱଚ୍ଛତା ବଜାୟ ରଖି ତଥା ସରକାରଙ୍କ ନିର୍ଦ୍ଧାରିତ ନୀତି ନିୟମକୁ ମାନି ଏବଂ ସର୍ବୋପରି ଛାତ୍ରଛାତୀଙ୍କ ବୃହତ ହିତକୁ ଆଗରେ ରଖି ବିଶ୍ୱବିଦ୍ୟାଳୟ କାର୍ଯ୍ୟ ସମ୍ପାଦନରେ ସମସ୍ତଙ୍କୁ ବ୍ରତୀ ହେବାକୁ ଅନୁପ୍ରାଣିତ କରିଥିଲେ । ବାରିପଦା ପୋଲିସ୍‌ର ଉପ-ଆରକ୍ଷୀ ଅଧିକ୍ଷକ ଶ୍ରୀ ବିକାଶ ରଞ୍ଜନ ସ୍ୱାଇଁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ସବୁ ସମୟରେ ସତର୍କତା ସହିତ ସର୍ବାଧିକ ସାଧୁତା ଓ ସତ୍ୟନିଷ୍ଠାରେ ପ୍ରତିବଦ୍ଧ ରହି କାର୍ଯ୍ୟ କରିବା, ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଏବଂ ଆଇନର ଶାସନକୁ ଅନୁପାଳନ କରିବା, ଉତ୍କୋଚ ନ ନେବା ଏବଂ ନ ଦେବା, ସମସ୍ତ ଦାୟିତ୍ୱକୁ ସାଧୁତା ଏବଂ ସ୍ୱଚ୍ଛତାର ସହ ସମ୍ପାଦନ କରିବା, ଜନସାଧାରଣଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରିବା, ନିଜ ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତମୂଳକ ସାଧୁତା ବଜାୟ ରଖିବାକୁ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ଆହ୍ୱାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ରାଜେଶ କୁମାର ସିଂହ,  ବିତ୍ତ ନିୟନ୍ତ୍ରକ ଶ୍ରୀ ଭରତଚନ୍ଦ୍ର ଦେହୁରୀ, ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ସଂଯୋଜକ ଡ. ପ୍ରିୟରଞ୍ଜନ ଦେବତା, ସାମାଜିକ କାର୍ଯ୍ୟର ସହକାରୀ ପ୍ରଫେସର ଡ. ଶୁଭେନ୍ଦୁ କୁମାର ଶତପଥି ମଞ୍ଚାସୀନ ଥିଲେ । ଏନ୍‌ଏସ୍‌ଏସ୍‌ର ପିଜି ପ୍ରୋଗ୍ରାମ ଅଧିକାରୀ ଡ. ଯତୀନ୍ଦ୍ର ନାଥ ଓ ଡ. ପ୍ରିୟଙ୍କା ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ଯୋଗଦେଇଥିଲେ ।