ସ୍ପେନ : ସ୍ପେନରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି । ଦୁଇଟି ହାଇସ୍ପିଡ୍ ଟ୍ରେନ୍ ମଧ୍ୟରେ ଧକ୍କା ହେବାରୁ ଅତି କମରେ ୪୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫୦ ଜଣ ଆହତ ହୋଇଥିବା ଖବର ମିଳିଛି । ରାଜଧାନୀ ମାଡ୍ରିଡକୁ ଦକ୍ଷିଣ ଆଣ୍ଡାଲୁସିଆ ଅଞ୍ଚଳ ସହ ଯୋଡ଼ୁଥିବା ରେଳପଥରେ ଏହି ଦୁର୍ଘଟଣା ଘଟିଛି । ରେଳ ନେଟୱର୍କ ପରିଚାଳନା ସଂସ୍ଥା ଆଡିଫ୍ (Adif) ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛି । ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ଓ ଜରୁରୀକାଳୀନ ସେବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଖବର ମୁତାବକ, ୧୪୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଇର୍ୟୋ (Iryo) ଟ୍ରେନ୍ ସହ ୩୯୭ ଜଣ ଯାତ୍ରୀ ଥିବା ରେନଫେ (Renfe) ଟ୍ରେନର ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ ଉଭୟ ଟ୍ରେନର ଅନେକ ବଗି ଲାଇନଚ୍ୟୁତ ହୋଇଛି । ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ । ଦୁର୍ଘଟଣା ପରେ ସୋସିଆଲ ମିଡିଆରେ ଆସିଥିବା ଫଟୋ ଓ ଭିଡିଓରେ ଟ୍ରେନର କ୍ଷତିଗ୍ରସ୍ତ ବଗି ଏବଂ ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିଥିବା ଭଗ୍ନାବଶେଷ ଦେଖିବାକୁ ମିଳିଛି ।
ଦୁର୍ଘଟଣା ପରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି । ରେଳ ଅଧିକାରୀମାନେ ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଦୁର୍ଘଟଣା କିପରି ଘଟିଲା, ସେ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଏବେ ବଡ଼ ଦୁର୍ଘଟଣା ସ୍ପେନର ହାଇ ସ୍ପିଡ ରେଳ ନେଟୱାର୍କ ପାଇଁ ବଡ଼ ଝଟକା ବୋଲି କୁହାଯାଉଛି ।
ଚଳିତବର୍ଷ ଜାନୁଆରୀରେ ଦକ୍ଷିଣ ସ୍ପେନରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ହୋଇଥିଲା । ଫଳରେ ୪୫ ଜଣଙ୍କ ଜୀବନ ଚାଲିଯାଇଥିଲା । ୨୦୧୨ରେ ସ୍ପେନରେ ଏକ ଟ୍ରେନ ଦୁର୍ଘଟଣାରେ ୮୦ ଲୋକଙ୍କ ଜୀବନ ଚାଲିଯାଇଥିଲା ।
