ସୁଡାନ: ସୁଡାନରେ ଗୃହଯୁଦ୍ଧ ମଧ୍ୟରେ ପୁଣି ରକ୍ତରଞ୍ଜିତ ହୋଇଛି ଜନଜୀବନ । ଏକ ଜନଗହଳିପୂର୍ଣ୍ଣ ବଜାର ଉପରେ ଭୟଙ୍କର ଡ୍ରୋନ୍ ଆକ୍ରମଣରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧୧୩ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି । ଏହି ଆକ୍ରମଣ ପାଇଁ ସୁଡାନୀ ସେନାକୁ ଦାୟୀ କରିଛି ମାନବାଧିକାର ସଂଗଠନ ‘ଇମର୍ଜେନ୍ସି ଲୟର୍ସ’ । ଅନ୍ୟପଟେ, ଯୁଦ୍ଧ ଯୋଗୁଁ ଦେଶରେ ମାନବୀୟ ସଙ୍କଟ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ।
ସୁଡାନର ଦକ୍ଷିଣ ଦାରଫୁର ପ୍ରଦେଶର ରାଜଧାନୀ ନ୍ୟାଲାରେ ଘଟିଛି ଏହି ଭୟଙ୍କର ଡ୍ରୋନ୍ ଆକ୍ରମଣ । ସୋମବାର ସନ୍ଧ୍ୟାରେ ସହରର ଦୁମାୟା ଅଞ୍ଚଳରେ ଥିବା ତାନକୋଙ୍ଗ ବଜାର ଉପରେ ଆକ୍ରମଣ ହୋଇଥିଲା । ସେହି ସମୟରେ ବଜାରରେ ଲୋକଙ୍କ ଭିଡ଼ ଥିବାବେଳେ ଅନେକ ଲୋକ କିଣାକିଣି କରୁଥିଲେ ଏବଂ ଜଳଖିଆ ଖାଉଥିଲେ। ହଠାତ୍ ଡ୍ରୋନ୍ ଆକ୍ରମଣରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ମାନବାଧିକାର ସଂଗଠନ ‘ଇମର୍ଜେନ୍ସି ଲୟର୍ସ’ ଏହି ଆକ୍ରମଣ ପାଇଁ ସୁଡାନୀ ସେନାକୁ ଦାୟୀ କରିଛି । ସଂଗଠନର କହିବା ଅନୁଯାୟୀ, ଏହି ଆକ୍ରମଣରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୧୧୩ ଜଣ ଆହତ ହୋଇଛନ୍ତି । ଘଟଣାର ନିରପେକ୍ଷ ଓ ସ୍ୱାଧୀନ ତଦନ୍ତ ପାଇଁ ମଧ୍ୟ ଦାବି କରାଯାଇଛି ।
ଅନ୍ୟପଟେ, ଅନ୍ତର୍ଜାତୀୟ ଚିକିତ୍ସା ସଂଗଠନ ‘ଡକ୍ଟର୍ସ ୱିଦାଉଟ୍ ବର୍ଡର୍ସ’ ବା ଏମ୍ଏସ୍ଏଫ୍ ସୂଚନା ଦେଇଛି ଯେ ନ୍ୟାଲାସ୍ଥିତ ଏହାର ହସ୍ପିଟାଲକୁ ୩୬ଟି ମୃତଦେହ ଅଣାଯାଇଛି । ଏହାସହ ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ୧୫୦ ଜଣ ଆହତଙ୍କ ଚିକିତ୍ସା କରାଯାଇଛି। ଆହତଙ୍କ ମଧ୍ୟରେ ଗୁରୁତର ଥିବା ଲୋକଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ନ୍ୟାଲା ସହର ଅର୍ଦ୍ଧସାମରିକ ବାହିନୀ ରାପିଡ୍ ସପୋର୍ଟ ଫୋର୍ସେସ୍ ବା ଆର୍ଏସ୍ଏଫ୍ ନିୟନ୍ତ୍ରଣରେ ରହିଛି । ଏପ୍ରିଲ୍ ୨୦୨୩ରୁ ସୁଡାନୀ ସଶସ୍ତ୍ର ବାହିନୀ ଏବଂ ଆର୍ଏସ୍ଏଫ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ସମଗ୍ର ଦେଶକୁ ଗ୍ରାସ କରିଛି । ଯୁଦ୍ଧ ମଧ୍ୟରେ ଉଭୟ ପକ୍ଷ ଡ୍ରୋନ୍ର ବ୍ୟବହାର ବଢ଼ାଇଥିବାବେଳେ ସାଧାରଣ ନାଗରିକ ଏହାର ସବୁଠାରୁ ବଡ଼ ଶିକାର ହେଉଛନ୍ତି । ହସ୍ପିଟାଲ, ସ୍କୁଲ, ବଜାର, ଡ୍ୟାମ୍ ଏବଂ ବିସ୍ଥାପିତଙ୍କ ଶିବିର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମଧ୍ୟ ଆକ୍ରମଣରୁ ବର୍ତ୍ତିପାରୁନାହିଁ। ଜାତିସଂଘ ଅନୁଯାୟୀ, ଡ୍ରୋନ୍ ଆକ୍ରମଣ ସୁଡାନରେ ସାଧାରଣ ନାଗରିକଙ୍କ ପାଇଁ ଏକ ଗୁରୁତର ଓ ଘାତକ ବିପଦ ପାଲଟିଛି । ସୁଡାନରେ ଚାଲିଥିବା ଏହି ଯୁଦ୍ଧ ଦେଶକୁ ଏକ ବଡ଼ ମାନବୀୟ ସଙ୍କଟ ମଧ୍ୟକୁ ଠେଲି ଦେଇଛି। ଜାତିସଂଘର ଆକଳନ ଅନୁଯାୟୀ, ଦେଶର ପ୍ରାୟ ୩୪ ନିୟୁତ ଲୋକଙ୍କୁ ମାନବୀୟ ସହାୟତାର ଆବଶ୍ୟକତା ରହିଛି। ଏହା ସୁଡାନର ମୋଟ ଜନସଂଖ୍ୟାର ପ୍ରାୟ ଦୁଇ-ତୃତୀୟାଂଶ ।
