ନୂଆଦିଲ୍ଲୀ : ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ମହଙ୍ଗା ଭତ୍ତା ବା ଡିଏ (DA)ରେ ୩ ପ୍ରତିଶତ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ଦେଇଛି । ଏହି ନିଷ୍ପତ୍ତି ଅନୁସାରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ମୂଳ ଦରମାର ୬୦ ପ୍ରତିଶତରୁ ୬୩ ପ୍ରତିଶତକୁ ବୃଦ୍ଧି ପାଇବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଦୀର୍ଘଦିନ ଧରି ମହଙ୍ଗା ଭତ୍ତା ବୃଦ୍ଧିକୁ ଅପେକ୍ଷା କରିଥିବା କେନ୍ଦ୍ର କର୍ମଚାରୀଙ୍କୁ ଏହାଦ୍ୱାରା ଆର୍ଥିକ ଲାଭ ମିଳିବ । ଏହାସହିତ ପେନ୍ସନଭୋଗୀଙ୍କ ମହଙ୍ଗା ରିଲିଫ୍ ମଧ୍ୟ ୩ ପ୍ରତିଶତ ବଢିଥିବା ଜଣାପଡିଛି ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ଏବଂ ପେନ୍ସନଭୋଗୀଙ୍କ ମହଙ୍ଗା ରିଲିଫ୍ (DR)ରେ ହୋଇଥିବା ବୃଦ୍ଧି ସପ୍ତମ ବେତନ ଆୟୋଗର ସୁପାରିସ ଆଧାରରେ ଅନୁମୋଦିତ ଫର୍ମୁଲା ଅନୁଯାୟୀ କରାଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ପରେ କର୍ମଚାରୀମାନେ ବର୍ଦ୍ଧିତ ଦରମା ପାଇବେ । ଏଥିସହ ଜୁଲାଇ ମାସରୁ ଏପର୍ଯ୍ୟନ୍ତର ବକେୟା ଅର୍ଥ (ଏରିୟର) ମଧ୍ୟ ମିଳିବ । ଫଳରେ ଏଥର ସରକାରୀ କର୍ମଚାରୀଙ୍କ ବ୍ୟାଙ୍କ ଖାତାକୁ ଏକକାଳୀନ ଅଧିକ ଟଙ୍କା ଆସିପାରେ ।
ପୂର୍ବରୁ ଚଳିତ ବର୍ଷ ଜାନୁଆରୀ ପହିଲାରୁ ଲାଗୁ ହେବା ଭଳି କେନ୍ଦ୍ର ସରକାର ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି କରିଥିଲେ । ଫଳରେ ଡିଏ ୫୮ରୁ ୬୦ ପ୍ରତିଶତକୁ ବଢ଼ିଥିଲା । ଏବେ ଆଉ ୩ ପ୍ରତିଶତ ବୃଦ୍ଧି ହେଲେ ଏହା ୬୩ ପ୍ରତିଶତରେ ପହଞ୍ଚିବ । ସାଧାରଣତଃ କେନ୍ଦ୍ର ସରକାର ବର୍ଷକୁ ଦୁଇଥର, ଜାନୁଆରୀ ଓ ଜୁଲାଇରୁ ଲାଗୁ ହେବା ଭଳି ମହଙ୍ଗା ଭତ୍ତା ସଂଶୋଧନ କରନ୍ତି। ଚଳିତ ଦଫାର ବୃଦ୍ଧି ଜୁଲାଇ ପହିଲାରୁ ଲାଗୁ ହେବା ନେଇ ଆଶା ରହିଛି ।
