- ବିଭିନ୍ନ ବର୍ଗରେ ସନ୍ତରଣକାରୀଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ, ୧୦ଟି ପଦକ ହାସଲ
ବାରିପଦା: ସମ୍ବଲପୁରସ୍ଥିତ ଝସକେତନ ସାହୁ ସନ୍ତରଣାଗାରରେ ସଦ୍ୟ ଅନୁଷ୍ଠିତ ୧୪ତମ ଖଟେଶ୍ୱର ପାଣ୍ଡେ ସ୍ମାରକୀ ସର୍ବ-ଓଡ଼ିଶା ଓପନ୍ ସନ୍ତରଣ ପ୍ରତିଯୋଗିତାରେ ମୟୂରଭଞ୍ଜର ସନ୍ତରଣକାରୀମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରି ମୋଟ ୧୦ଟି ପଦକ ହାସଲ କରିଛନ୍ତି । ବିଭିନ୍ନ ବୟସ ବର୍ଗରେ ପ୍ରତିଯୋଗୀମାନେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ସହିତ କାଂସ୍ୟ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।
ଗ୍ରୁପ୍-୩ ବାଳିକା ବର୍ଗରେ ତନୁଜା ମହାନ୍ତ ୫୦ ମିଟର ଫ୍ରିଷ୍ଟାଇଲ୍ ଓ ୫୦ ମିଟର ବଟରଫ୍ଲାଇରେ ଦ୍ୱିତୀୟ ସ୍ଥାନ ହାସଲ କରି ଦୁଇଟି ରୌପ୍ୟ ପଦକ ଜିତିଛନ୍ତି । ସେହିପରି ରୁଷା କିସ୍କୁ ୫୦ ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ଦ୍ୱିତୀୟ ଏବଂ ୫୦ ମିଟର ଫ୍ରିଷ୍ଟାଇଲ୍ରେ ତୃତୀୟ ସ୍ଥାନ ହାସଲ କରି ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ଜିତିଛନ୍ତି । ବାଲେ ହୋ ୫୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍ରେ ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ପାଇଛନ୍ତି ।
ସିନିୟର ପୁରୁଷ ବର୍ଗରେ ସରବଣ କୁମାର ପ୍ରଧାନ ୫୦ ମିଟର ବଟରଫ୍ଲାଇ ଓ ୫୦ ମିଟର ଫ୍ରିଷ୍ଟାଇଲ୍ରେ ଦ୍ୱିତୀୟ ସ୍ଥାନ ହାସଲ କରି ଦୁଇଟି ରୌପ୍ୟ ପଦକ ଜିତିଛନ୍ତି । ମାଷ୍ଟର୍ସ ୨୫–୨୯ ବର୍ଷ ବୟସ ବର୍ଗରେ କମଳକୃଷ୍ଣ ଘୋଷ ୫୦ ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ମାଷ୍ଟର୍ସ ୩୫–୩୯ ବର୍ଷ ବୟସ ବର୍ଗରେ ସ୍ନେହଲତା ଧଳ ୫୦ ମିଟର ଫ୍ରିଷ୍ଟାଇଲ୍ ଓ ୫୦ ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ପ୍ରଥମ ସ୍ଥାନ ହାସଲ କରି ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହି ପ୍ରତିଯୋଗିତାରେ ଜିଲ୍ଲାର ସନ୍ତରଣକାରୀମାନଙ୍କ ସଫଳତା ଜିଲ୍ଲାରେ ସନ୍ତରଣ କ୍ରୀଡ଼ାର ବିକାଶ ଓ ଯୁବ ପ୍ରତିଭାଙ୍କ ଉତ୍ସାହକୁ ପ୍ରତିଫଳିତ କରୁଛି ବୋଲି ଜିଲ୍ଲା କ୍ରୀଡ଼ା ଅଧିକାରୀ ଡ଼ଃ ଶୁଭାଶିଷ ନାୟକ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
