IMG 20261026 WA0315

ଦୁର୍ନୀତି ନିବାରଣ ସଚେତନତା ସପ୍ତାହରେ ସାଧୁତାର ଶପଥପାଠ

ରାଜ୍ୟ
  • ସ୍ୱଚ୍ଛ, ସଚ୍ଚୋଟ ଓ ଦୁର୍ନୀତିମୁକ୍ତ ପ୍ରଶାସନ ଜିଲ୍ଲା ପ୍ରଶାସନର ପ୍ରାଥମିକତା
ବାରିପଦା : ଦୁର୍ନୀତିମୁକ୍ତ ପ୍ରଶାସନ, ସ୍ୱଚ୍ଛତା ଓ ଜନସାଧାରଣଙ୍କୁ ସଚ୍ଚୋଟ ଏବଂ ଉତ୍ତରଦାୟୀ ସେବା ପ୍ରଦାନର ସଂକଳ୍ପ ସହ ମୟୂରଭଞ୍ଜ ଜିଲ୍ଲାରେ ସୋମବାର ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ଅବସରରେ ବିଭିନ୍ନ ସ୍ଥାନରେ ସାଧୁତାର ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍‌ଙ୍କ ସମେତ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ବିରୋଧରେ ସଚେତନ ରହିବା, ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଅବଲମ୍ବନ କରିବା ଏବଂ ସ୍ୱଚ୍ଛ ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଶପଥ ଗ୍ରହଣ କରିଛନ୍ତି ।
ଏହି ଅବସରରେ ଉଦଳା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜନଶୁଣାଣି କାର୍ଯ୍ୟକ୍ରମ ସମୟରେ ଜିଲ୍ଲାପାଳ ଶ୍ରୀ ସୟ୍‌ଙ୍କ ଉପସ୍ଥିତିରେ ସାଧୁତାର ଶପଥ ପାଠ କରାଯାଇଥିଲା । ଏଥିରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା ଏବଂ ଉଦଳା ଉପଜିଲ୍ଲାପାଳ ଶ୍ରୀ ପ୍ରଣୟ ରଞ୍ଜନ ବେହେରାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ । ଜନସାଧାରଣଙ୍କ ଅଭିଯୋଗ ଶୁଣାଣି ସହିତ ସେମାନଙ୍କୁ ସ୍ୱଚ୍ଛ ଓ ନିରପେକ୍ଷ ସେବା ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।
ଏଥିସହିତ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବାହ୍ନ ୧୧ଟାରେ ଅନ୍ୟ ଏକ ସାଧୁତାର ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଶପଥ ଗ୍ରହଣ କରିଥିଲେ । ଏହି ଅବସରରେ ସମସ୍ତ କାର୍ଯ୍ୟରେ ସଚ୍ଚୋଟତା ବଜାୟ ରଖିବା, ଲାଞ୍ଚ ନ ନେବା ଓ ନ ଦେବା, ସ୍ୱଚ୍ଛତାର ସହ ନିଜ ଦାୟିତ୍ୱ ନିର୍ବାହ କରିବା ଏବଂ ଜନସାଧାରଣଙ୍କ ହିତକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଶିଶିର କୁମାର ମୁନ୍ଦୁୟାଙ୍କ ନେତୃତ୍ୱରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ସମସ୍ତ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅକ୍ଟୋବର ୨୬ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ “Vigilance: Probity for Prosperity” (ସାଧୁତାରୁ ସମୃଦ୍ଧି) ବିଷୟବସ୍ତୁକୁ ନେଇ ପାଳନ କରାଯାଉଛି । ଏହି ସପ୍ତାହ ଅବସରରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସାଧୁତାର ଶପଥ ପାଠ ସହ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଦୁର୍ନୀତି ବିରୋଧରେ ସାମୂହିକ ସଚେତନତା ଓ ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ଏକ ସ୍ୱଚ୍ଛ, ଦାୟିତ୍ୱବାନ ଓ ଜନକୈନ୍ଦ୍ରିକ ପ୍ରଶାସନିକ ବ୍ୟବସ୍ଥା ଗଠନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ।