ବାରିପଦା,: ଆସନ୍ତା ୩୧ ଅକ୍ଟୋବରରେ ପାଳନ ହେବାକୁ ଥିବା ‘ରାଷ୍ଟ୍ରୀୟ ଏକତା ଦିବସ-୨୦୨୬’ ଉତ୍ସବ ନିମନ୍ତେ ଆଜି ବାରିପଦା ରିଜର୍ଭ ପୋଲିସ ପଡ଼ିଆ ଠାରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦୀପକ ଗୋଚ୍ଛାୟତ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗୌତମ କିଷାନ, ରିଜର୍ଭ ଇନ୍ସପେକ୍ଟର ଆଲୋକ କୁମାର କାନୁନଗୋ, ଜିଲ୍ଲା ସଂସ୍କୃତି ଅଧିକାରୀ ମୁନମୁନ ଗିରି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା ଯୋଗଦେଇ ପ୍ରତିନିଧି ଦଳକୁ ଶୁଭକାମନା ଜଣାଇବା ସହ ଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଏଠାରେ ଉଲ୍ଲେଖଥାଉକି, ଚଳିତ ବର୍ଷ ରାଷ୍ଟ୍ରୀୟ ଏକତା ଦିବସର ମୁଖ୍ୟ ବିଷୟବସ୍ତୁ ହେଉଛି ‘ନକ୍ସଲବାଦର ଅନ୍ତ’ (ନକ୍ସଲ-ମୁକ୍ତ ଭାରତ) ଏବଂ ଦେଶର ସଶସ୍ତ୍ର ବାହିନୀର ବିଜୟ ଗାଥା ପାଳନ କରିବା । ଦୀର୍ଘ ଦଶନ୍ଧି ଧରି ନକ୍ସଲବାଦ ଦେଶ, ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ଶାନ୍ତି, ନିରାପତ୍ତା ଓ ବିକାଶର ପଥରେ ଏକ ବଡ଼ ପ୍ରତିବନ୍ଧକ ହୋଇ ରହିଥିଲା । ଗ୍ରାମାଞ୍ଚଳ ଓ ଜଙ୍ଗଲ ଆବୃତ ଅଞ୍ଚଳଗୁଡ଼ିକରେ ହିଂସା ଓ ଭୟର ବାତାବରଣ ସୃଷ୍ଟି କରି ଏହା ଆର୍ଥିକ, ସାମାଜିକ ଓ ଭିତ୍ତିଭୂମି ବିକାଶକୁ ବାଧାପ୍ରାପ୍ତ କରୁଥିଲା । ନକ୍ସଲ ପ୍ରଭାବିତ ଅଞ୍ଚଳର ଜନସାଧାରଣ ଏବେ ଶାନ୍ତି, ସ୍ୱାଧୀନତା ଓ ଗୌରବର ସହ ଦେଶର ମୁଖ୍ୟ ବିକାଶ ଧାରାରେ ଅଂଶଗ୍ରହଣ କରିପାରିବେ ।
ରିଜର୍ଭ ପୋଲିସ ପଡିଆ ନିକଟରୁ ସ୍ୱତନ୍ତ୍ର ବସ୍ ଯୋଗେ ୫୧ ଜଣିଆ ପ୍ରତିନିଧି ଦଳ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି । ଆଜି ରାତିରେ ସେମାନେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ରେ ରାତ୍ରିଯାପନ କରିବେ । ଭୁବନେଶ୍ୱରରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଗୁଜୁରାଟର ଏକତା ନଗର ଅଭିମୁଖେ ଯାତ୍ରା କରିବେ । ଗୁଜୁରାଟର ଏକତା ନଗରଠାରେ ଆୟୋଜିତ ରାଷ୍ଟ୍ରୀୟ ଏକତା ଦିବସର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ମୋରଡା ବ୍ଲକ ଏବିଡିଓ ସୁଶାନ୍ତ କୁମାର ରାଉଳ ଏବଂ କୁଳିଅଣା ଏଏସ୍ଆଇ ଉପେନ୍ଦ୍ର କୁମାର ଗୋଛାୟତ ନୋଡାଲ ଅଫିସର ଭାବରେ ଭ୍ରମଣକାରୀ ଦଳଙ୍କ ସହ ଯାତ୍ରା କରିଛନ୍ତ ।
