ଇଉନିଟ-୨ ସରକାରୀ ଉଚ୍ଚବିଦ୍ୟାଳୟରେ ଯୋଗ ଦିବସ
ଭୁବନେଶ୍ୱର : ସ୍ଥାନୀୟ ଇଉନିଟ-୨ ସ୍ଥିତ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଏକ ବିଶେଷ ଆଲୋଚନା ଚକ୍ର ଓ ସାମୂହିକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସବିତା ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଯୋଗର ଆଧ୍ୟାତ୍ମିକ ଓ ବୈଜ୍ଞାନିକ ଦିଗ ଉପରେ ଆଲୋକପାତ କରିଥିଲେ।
ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାରସ୍ୱତ ସଂଗଠକ ରମାକାନ୍ତ ମିଶ୍ର ଯୋଗଦେଇ ଯୋଗର ପ୍ରକୃତ ସଂଜ୍ଞା ବୁଝାଇଥିଲେ। ସେ ନିଜ ବକ୍ତବ୍ୟରେ କହିଥିଲେ ଯେ, “ଯୋଗର ଅର୍ଥ କେବଳ ଶାରୀରିକ ବ୍ୟାୟାମ, ଆସନ କିମ୍ବା ପ୍ରାଣାୟାମ ମଧ୍ୟରେ ସୀମିତ ନୁହେଁ। ଶରୀରକୁ ସୁସ୍ଥ ରଖିବା ପାଇଁ ଆସନ ଓ ପ୍ରାଣାୟାମର ଆବଶ୍ୟକତା ଜରୁରୀ ସତ, କିନ୍ତୁ ଯୋଗର ପ୍ରକୃତ ଲକ୍ଷ୍ୟ ହେଉଛି ମଣିଷକୁ ତାର ଅନ୍ତର୍ନିହିତ ଶକ୍ତି ସହ ପରିଚିତ କରାଇବା। ଆଧ୍ୟାତ୍ମିକ ଭାଷାରେ ଜୀବାତ୍ମା ସହ ପରମାତ୍ମାଙ୍କ ସଂଯୋଗ ହିଁ ପ୍ରକୃତ ଯୋଗ।” ଶ୍ରୀମଦ ଭଗବତ ଗୀତାର ପ୍ରସଙ୍ଗ ଉଦ୍ଧାର କରି ସେ କହିଥିଲେ ଯେ, ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମଯୋଗ, ଜ୍ଞାନଯୋଗ ଓ ଭକ୍ତିଯୋଗ ଭଳି ବିଭିନ୍ନ ମାଧ୍ୟମରେ ଜୀବନର ଶ୍ରେଷ୍ଠ ମାର୍ଗ ବିଷୟରେ ବୁଝାଇଛନ୍ତି, ଯାହା ଆଜିର ସମାଜ ଓ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ।

କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ସହକାରୀ ବ୍ଳକ୍ ଶିକ୍ଷା ଅଧିକାରୀ (ABEO) ପ୍ରଣତି ବେହେରା ଯୋଗଦେଇ ବିଭିନ୍ନ ସହଜ ଉଦାହରଣ ମାଧ୍ୟମରେ ଯୋଗ ଓ ପ୍ରାଣାୟାମ ଦ୍ୱାରା ମଣିଷ କିପରି ଏକ ସୁସ୍ଥ, ନିରାମୟ ଓ ଚାପମୁକ୍ତ ଜୀବନ ଯାପନ କରିପାରିବ, ତାହା ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ। ଏଥିସହିତ ଦୈନନ୍ଦିନ ଜୀବନରେ ନିୟମିତ ଯୋଗ କରିବାକୁ ସେ ପିଲାମାନଙ୍କୁ ଆହ୍ୱାନ ଦେଇଥିଲେ।
କ୍ରୀଡ଼ା ଶିକ୍ଷୟତ୍ରୀ ସୁଷମା ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟର ସମସ୍ତ କାର୍ଯ୍ୟକ୍ରମ ଓ ଯୋଗାଭ୍ୟାସ ସୂଚାରୁରୂପେ ସମ୍ପନ୍ନ ହୋଇଥିଲା। ଏହି ଆୟୋଜନରେ ଶିକ୍ଷୟତ୍ରୀ ସୌମ୍ୟା ବିବେକ ଭୂୟାଁ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଶେଷରେ ମଧୁସୂଦନ ଦାଶ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଏହି ଯୋଗ ଶିବିରରେ ସାମିଲ ହୋଇ ଯୋଗ ଶପଥ ନେଇଥିଲେ।
