ଭୁବନେଶ୍ୱର : ସ୍ଥାନୀୟ କେନ୍ଦ୍ରୀୟ ଆୟୁର୍ବେଦ ଅନୁସନ୍ଧାନ ସଂସ୍ଥାନ ପରିସରରେ ଆଜି ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହକାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭରତପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଏବଂ ବାଣୀ ଭାରତୀ ବିଦ୍ୟାଳୟର ଛାତ୍ରଛାତ୍ରୀ, ଗୁରୁଜୀ, ଗୁରୁମା, ସ୍ଥାନୀୟ ଜନସାଧାରଣଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମଚାରୀବୃନ୍ଦ ବିପୁଳ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅନୁଷ୍ଠାନର ନିର୍ଦ୍ଦେଶକ (ପ୍ରଫେସର) ଡାକ୍ତର ଏମ୍. ଏମ୍. ରାଓ ସ୍ୱାଗତ ଭାଷଣ ଦେଇଥିଲେ। ସେ ନିଜ ବକ୍ତବ୍ୟରେ ମାନସିକ ଓ ଶାରୀରିକ ସୁସ୍ଥତା ବଜାୟ ରଖିବା ପାଇଁ ଯୋଗର ଆବଶ୍ୟକତା ଏବଂ ଏହାର ଅନେକ ଗୁଣାତ୍ମକ ଦିଗ ଉପରେ ଆଲୋକପାତ କରିଥିଲେ।
ଏହି ବିଶେଷ ଅବସରରେ ଭୁବନେଶ୍ୱର ମହାନଗର ନିଗମ (BMC)ର ମାନ୍ୟବର ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ନିଜ ଅଭିଭାଷଣରେ ମାନବ ସ୍ୱାସ୍ଥ୍ୟ ପାଇଁ ଯୋଗର ଉପକାରିତା ସମ୍ପର୍କରେ ଆଲୋଚନା କରିବା ସହ ଦୈନନ୍ଦିନ ଜୀବନରେ ଏହାକୁ ଆପଣେଇବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।
ଏହା ପରେ, ପ୍ରଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସାମୂହିକ ଯୋଗ ପ୍ରୋଟୋକଲ୍ ଅନୁଯାୟୀ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ନେଇ ସାମୂହିକ ଯୋଗାସନ ଓ ପ୍ରାଣାୟାମ ପ୍ରଦର୍ଶନ ସହ ଯୋଗ ଅଭ୍ୟାସ କରାଯାଇଥିଲା। ଆୟୁଷ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗାଭ୍ୟାସର ସିଧା ପ୍ରସାରଣ (Live Streaming) ମଧ୍ୟ କରାଯାଇଥିଲା।
ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଡାକ୍ତର ସୁସ୍ମିତା ଓତା ଅତ୍ୟନ୍ତ ସଫଳତାର ସହ ସମ୍ପାଦନ କରିଥିବା ବେଳେ ଶେଷରେ ଅନୁଷ୍ଠାନର ସହକାରୀ ନିର୍ଦ୍ଦେଶିକା ଡାକ୍ତର ଶାରଦା ଓତା ଉପସ୍ଥିତ ସମସ୍ତ ଅତିଥି, ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
