ଭୁବନେଶ୍ୱର : ମଣିଷର ବସ୍ତୁବାଦୀ ଜୀବନ ମଧ୍ୟରେ ଆତ୍ମିକ ଶାନ୍ତି ଖୋଜିବା ପାଇଁ ଆଧ୍ୟାତ୍ମିକତା ହେଉଛି ଏକମାତ୍ର ଶ୍ରେଷ୍ଠ ମାର୍ଗ। ଏହି ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱରଠାରେ ଗ୍ଲୋବାଲ ସ୍ପିରିଚ୍ୟୁଆଲ ମିଶନ ପକ୍ଷରୁ ଏକ ମାସିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। “ଆଧ୍ୟାତ୍ମିକ ଜୀବନ ସୁଖ ଓ ଆନନ୍ଦର ମୂଳ ଉତ୍ସ” ଶୀର୍ଷକ ଏହି ସାରସ୍ୱତ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ମାନବ ଜୀବନରେ ଆଧ୍ୟାତ୍ମିକତାର ଅପରିହାର୍ଯ୍ୟତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ଆଲୋଚନା ଚକ୍ରରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ବାଗ୍ମୀ ଅନନ୍ତ ଗୋପାଳ ପଣ୍ଡା ଯୋଗଦେଇ ନିଜର ଅଭିଭାଷଣ ମାଧ୍ୟମରେ ସୁନ୍ଦର ଭାବେ ବୁଝାଇଥିଲେ ଯେ, କେବଳ ଭୌତିକ ସୁଖ ସୁବିଧା ମଣିଷକୁ ପୂର୍ଣ୍ଣତା ଦେଇପାରେ ନାହିଁ। ବିଭିନ୍ନ ଜୀବନ୍ତ ଉଦାହରଣ ଓ ଶାସ୍ତ୍ରୀୟ ପ୍ରସଙ୍ଗ ମାଧ୍ୟମରେ ସେ ଦର୍ଶାଇଥିଲେ କିପରି ଆଧ୍ୟାତ୍ମିକ ଜୀବନଯାପନ ଜଣେ ବ୍ୟକ୍ତିକୁ ମାନସିକ ସ୍ଥିରତା, ଶାନ୍ତି ଓ ନିରନ୍ତର ଆନନ୍ଦ ପ୍ରଦାନ କରିଥାଏ। ସେହିପରି ଅନୁଷ୍ଠାନର ମାର୍ଗଦର୍ଶକ ତଥା ଉପଦେଷ୍ଟା ବିଶିଷ୍ଟ ସାରସ୍ବତ ସଂଗଠକ ରମାକାନ୍ତ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ, ଆମର ଶାସ୍ତ୍ର ଓ ପୁରାଣଗୁଡ଼ିକ ଜ୍ଞାନର ଅକ୍ଷୟ ଭଣ୍ଡାର। ପ୍ରତ୍ୟହ ଗୀତା ଓ ଭାଗବତ ପଠନ କଲେ ଜୀବନରେ ଆସୁଥିବା ବାଧାବିଘ୍ନକୁ ସାମ୍ନା କରିବା ପାଇଁ ମଣିଷକୁ ଅପୂର୍ବ ଆତ୍ମବଳ ମିଳିଥାଏ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଂପାଦକ ପରମେଶ୍ୱର ମିଶ୍ର ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଗ୍ଲୋବାଲ ସ୍ପିରିଚ୍ୟୁଆଲ ମିଶନର ଲକ୍ଷ୍ୟ, ଆଭିମୁଖ୍ୟ ଏବଂ ସମାଜରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବାର ଆବଶ୍ୟକତା ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ବିଶିଷ୍ଟ ନାଟ୍ୟକାର ବିଜୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଭବ୍ୟ ସଭାରେ ପ୍ରତାପ କୁମାର ମିଶ୍ର ସମସ୍ତଙ୍କୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମାରୋହରେ ରାଜଧାନୀର ବହୁ ସଂଖ୍ୟକ ବିଶିଷ୍ଟ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ।
