କଟକ ମାନସିକ ସ୍ଵାସ୍ଥ୍ୟ ପ୍ରତିଷ୍ଠାନରେ ଆଇନ୍ ସଚେତନତା ଶିବିର: ମହିଳା ସୁରକ୍ଷା ଓ ଆଇନଗତ ସହାୟତା ଉପରେ ଗୁରୁତ୍ୱ

Odia ରାଜ୍ୟ

କଟକ: ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ (DLSA), କଟକ ଏବଂ ମାନସିକ ସ୍ଵାସ୍ଥ୍ୟ ପ୍ରତିଷ୍ଠାନ, କଟକର ମିଳିତ ଆନୁକୁଲ୍ୟରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନସିକ ସ୍ଵାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଜୟ କୁମାର ମିଶ୍ର ସଭାପତିତ୍ବ କରିଥିଲେ।
ସଭା ପ୍ରାରମ୍ଭରେ ନିର୍ଦ୍ଦେଶକ ଶ୍ରୀ ମିଶ୍ର ଅତିଥିମାନଙ୍କୁ ସ୍ବାଗତ କରିବା ସହିତ ମାନସିକ ସ୍ଵାସ୍ଥ୍ୟର ଗୁରୁତ୍ୱ ଓ ଏହା ସହ ଜଡ଼ିତ ଆଇନଗତ ଦିଗ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣର ସଚିବ ଶ୍ରୀ ଜଗଦିଶ ଚନ୍ଦ୍ର ଜେନା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ଥିବା ଆଇନଗତ ସହାୟତା ଓ ସୁବିଧା ସମ୍ପର୍କରେ ଆଲୋକପାତ କରିଥିଲେ।

26080d06 0a04 41d5 bd2c 683c5dce9167
ବରିଷ୍ଠ ଆଇନଜୀବୀ ଶ୍ରୀ ବିଜୟ କୁମାର ପଣ୍ଡା କାର୍ଯ୍ୟ ସ୍ଥଳରେ ମହିଳାମାନଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ‘ଯୌନ ନିର୍ଯାତନା ନିବାରଣ, ନିଷେଧ ଓ ପ୍ରତିକାର ଆଇନ୍ ୨୦୧୩’ (POSH Act) ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ସେହିପରି ଅନ୍ୟତମ ଆଇନଜୀବୀ ଶ୍ରୀ ରଜନୀକାନ୍ତ ଦାଶ ସାଧାରଣ ପୁଲିସ ପ୍ରକ୍ରିୟା ଯଥା— ଏଫ୍ ଆଇ ଆର (FIR), ଜାମିନ (Bail), ଅପିଲ, ସମନ ଏବଂ ଓରଣ୍ଟ (Warrant) ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ସୂଚନା ଦେଇଥିଲେ।

ଏହି ଶିବିରରେ ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଆଇନର ବିଭିନ୍ନ ଜଟିଳ ବିଷୟବସ୍ତୁ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଡଃ ଜତିନ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ କରିଥିଲେ। ଏହି ଶିବିରଟି ଉପସ୍ଥିତ ସମସ୍ତ ବ୍ୟକ୍ତି ଓ ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଶିକ୍ଷଣୀୟ ଓ ସହାୟକ ହୋଇଥିଲା।