ବାରିପଦା: ଦେଶର ୧୦ ଗୋଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ, ସ୍ୱାଧୀନ କୃଷକ ମୋର୍ଚ୍ଚା ଓ କର୍ମଚାରୀମାନଙ୍କ ଫେଡେରେସନ ସମୂହଙ୍କ ପକ୍ଷରୁ ୪ ଟି ଶ୍ରମ କୋର୍ଡ ରଦ୍ଦ, ଦରଦାମ ବୃଦ୍ଧି ବନ୍ଦ, ସ୍କିମ ଓରକର ଯଥା ଅଙ୍ଗନବାଡି, ଆଶାକର୍ମୀ, ପାଚିକା ସହାୟିକା ମାନଙ୍କୁ ମାସିକ ୨୬ ହଜାର ଟଙ୍କା ମଜୁରୀ ସହ ସ୍ଥାୟୀ କରିବା, ମହିଳାମାନଙ୍କୁ ରାତ୍ରୀକାଳୀନ କାର୍ଯ୍ୟାଦେଶ ବାତିଲ୍, କୃଷି ଜାତ ଦ୍ରବ୍ୟ ବିକ୍ରି ପାଇଁ ଏମ୍ ଏସ ପି ଆଇନ୍ ପ୍ରଣୟନ କରିବା ଇତ୍ୟାଦି ଅନ୍ୟାନ୍ୟ ଦାବିରେ ଆସନ୍ତା ୧୨ ଫେବୃଆରୀ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଓ ଭାରତ ବନ୍ଦକୁ ସମର୍ଥନ ଜଣାଇ ଝାରପୋଖରିଆ, ବମ୍ବେ ଛକ ଠାରେ ଏଆଇୟୁଟିୟୁସି ସହବନ୍ଧିତ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକାଙ୍କ ପକ୍ଷରୁ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ମା ସୁଲଭ ଗୁଣରେ ଯତ୍ନ ନେବା ସହ ଖାଦ୍ୟ ପରଷିବା କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କରିଥିଲେ ସୁଦ୍ଧା, ଆମକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ କିମ୍ବା କର୍ମଚାରୀର ମାନ୍ୟତା ନ ଦେବା ଫଳରେ ଆମର ସାମାଜିକ ସୁରକ୍ଷା ସହ ବଞ୍ଚିବାର ଅଧିକାରକୁ ଉପେକ୍ଷିତ କରାଯାଉଛି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି। ସର୍ବନିମ୍ନ ମଜୁରୀରୁ ବଞ୍ଚିତ। ବିଭିନ୍ନ ସମସ୍ୟା ଭିତରେ ଆମେ କାମ କରୁଛୁ। ବାରମ୍ବାର ଉଭୟ ସରକାରଙ୍କୁ ନିବେଦନ କରିଥିଲେ ସୁଦ୍ଧା ଫଳାଫଳ ଶୂନ। ତେଣୁ ଶ୍ରମିକ, କୃଷକ, କର୍ମଚାରୀ ଫେଡେରେସନ ସମୂହଙ୍କ ପକ୍ଷରୁ ଭାରତ ବନ୍ଦକୁ ସଫଳ କରିବାକୁ ନିବେଦନ କରାଯାଇଛି। ଏଥିରେ ଜିଲ୍ଲାର ସଭାପତି ପୂର୍ଣିମା ପଣ୍ଡା, ସମ୍ପାଦିକା ମଧୁସ୍ମିତା ମହାନ୍ତ, କଳ୍ପନା ନାଏକ,ରୂପା ସି,ରଂଗ ନାୟକ, ରେବତୀ ନାଏକ, ସୁମିତ୍ରା ନାଏକ, ରୁକ୍ମିଣୀ ନାଏକ, ପାର୍ବତୀ ମହାନ୍ତ, ପଦ୍ମାବତୀ ବେହେରା, ସବିତା ମହାନ୍ତ,ପାୟୋମଣି ମାରାଣ୍ଡି, ମମତା ସି,କାପୁରା ସୋରେନଙ୍କ ସମେତ ଏଆଇଟିୟୁସି ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର, ପରମେଶ୍ବର ମହାନ୍ତ, ହୃଷିକେଶ ସାହୁ,ରୂପାଇ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
