Screenshot 2025 09 10 161311

ଅସ୍ତ୍ରୋପଚାର ପରେ ଖାଦ୍ୟନଳୀରୁ ବାହାରିଲା ୯ ଇଞ୍ଚର ଦାନ୍ତକାଠି

ରାଜ୍ୟ

ବ୍ରହ୍ମପୁର: ୮୦ ବର୍ଷୀୟ ବୃଦ୍ଧଙ୍କ ଖାଦ୍ୟନଳୀରୁ ବାହାରିଲା ୯ ଇଞ୍ଚର ଦାନ୍ତକାଠି । ବୃଦ୍ଧ ଜଣକ ଅସାବଧାନତା ଯୋଗୁଁ ଦାନ୍ତକାଠି ଗିଳି ଦେଇଥିଲେ । ସଫଳ ଅସ୍ତ୍ରୋପଚାର କରି ଦାନ୍ତକାଠିକୁ ବାହାର କରିଛନ୍ତି ଡାକ୍ତର । ଦୀର୍ଘ ୧ ଘଣ୍ଟା ଧରି ପରିଶ୍ରମ କରିବା ପରେ ଖାଦ୍ୟନଳୀରୁ ଦାନ୍ତକାଠିକୁ ବାହାର କରାଯାଇଛି । ବ୍ରହ୍ମପୁର ଏମକେସିଜି ମେଡିକାଲରେ ଏପରି ଏକ କଠିନ ଅପରେସନ୍ ସଫଳ ହୋଇଛି।

ସୂଚନା ଅନୁଯାୟୀ, ଗଞ୍ଜାମଜିଲ୍ଲା ବେଲଗୁଣ୍ଠା ବ୍ଲକ୍‌ ନାଟଙ୍ଗା ଗ୍ରାମର କାମରାଜୁ ନାୟକ (୮୦) ଗତ ବୁଧବାର ଦିନ ସକାଳୁ ଦାନ୍ତ ଘଷୁଥିବା ବେଳେ ଅସାବଧାନ ବଶତଃ ଦାନ୍ତକାଠିକୁ ଗିଳି ଦେଇଥିଲେ। ପ୍ରଥମେ ଭଞ୍ଜନଗର ଡାକ୍ତରଖାନାକୁ ନେଇଥିଲେ। ଖାଦ୍ୟ ଖାଇପାରୁନଥିବା ଯୋଗୁଁ ଏକ ସପ୍ତାହ ଧରି ସେ କେବଳ ତରଳ ଖାଦ୍ୟ ଖାଇ ରହୁଥିଲେ। ଭଞ୍ଜନଗର ଡାକ୍ତରଖାନା ଏଥିରେ ସଫଳ ନହେବାରୁ ପରିବାର ଲୋକେ ଗତକାଲି ଏମ୍‌କେସିଜିର ଇଏନ୍‌ଟି ବିଭାଗରେ ଭର୍ତ୍ତି କରିଥିଲେ। ତେବେ ବିଭାଗୀୟ ମୁଖ୍ୟ ଡାକ୍ତର ସଞ୍ଜିତ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆବଶ୍ୟକ ପରୀକ୍ଷା କରାଯାଇଥିଲା। ଖାଦ୍ୟନଳୀରେ ଦାନ୍ତକାଠି ରହିଥିବା ସ୍ପଷ୍ଟ ହୋଇଥିଲା। ଇଏନ୍‌ଟି ବିଭାଗୀୟ ମୁଖ୍ୟ ଡା. ସଞ୍ଜିତ କୁମାର ମିଶ୍ରଙ୍କ ନେତୃତ୍ବରେ ଟିମ ଏକ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ଏସୋଫାଗୋସ୍କୋପ୍‌ ପଦ୍ଧତିରେ ଖାଦ୍ୟନଳୀରେ ଫସିଥିବା ଏହି ଦାନ୍ତକାଠିକୁ ବାହାର କରିଛନ୍ତି।