ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିକୁ ଲାଗିଛି ବଡ଼ ଝଟକା । ପାର୍ଟିର ୭ ଜଣ ବିଧାୟକ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେମାନଙ୍କ ମଧ୍ୟରେ ତ୍ରିଲୋକପୁରୀ ବିଧାୟକ ରୋହିତ ମହରୌଲିଆ, ଜନକପୁରୀ ବିଧାୟକ ରାଜେଶ ଋଷି, କସ୍ତୁରବା ନଗର ବିଧାୟକ ମଦନଲାଲ, ପାଲମ୍ ବିଧାୟକ ଭାବନା ଗୌଡ଼, ମହରୌଲି ବିଧାୟକ ନରେଶ ଯାଦବ, ଆଦର୍ଶ ନଗର ବିଧାୟକ ପବନ ଶର୍ମା ଏବଂ ବିଜୱାସନ ବିଧାୟକ ବିଏସ୍ ଜୁନ୍ ଅଛନ୍ତି ।
ଇସ୍ତଫା ଦେଇଥିବା ବିଧାୟକମାନେ ନିଜ ପତ୍ରରେ କହିଛନ୍ତି, ‘ଆମ୍ ଆଦମୀ ପାର୍ଟି ଯେଉଁ ସଚ୍ଚୋଟ ବିଚାରଧାରା ଉପରେ ଗଢ଼ି ଉଠିଥିଲା, ସେହି ବିଚାରଧାରାରୁ ଏବେ ସମ୍ପୂର୍ଣ୍ଣ ଦୂରେଇ ଯାଇଛି । ଆମ୍ ଆଦମୀ ପାର୍ଟିର ଏହି ଦୁର୍ଦ୍ଦଶା ଦେଖି ମନ ବହୁତ ଦୁଃଖିତ’ ।
ମହରୌଲି ବିଧାୟକ ନରେଶ ଯାଦବ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନିଜ ଇସ୍ତଫା ଘୋଷଣା କରିଛନ୍ତି । ସେ ଲେଖିଛନ୍ତି, ‘ମୁଁ ସଚ୍ଚୋଟତାର ରାଜନୀତି ପାଇଁ ଆମ୍ ଆଦମୀ ପାର୍ଟିରେ ଯୋଗଦେଇଥିଲି । କିନ୍ତୁ ଆଜି କେଉଁଠି ବି ସଚ୍ଚୋଟତା ନଜର ଆସୁନାହିଁ । ମୁଁ ମହରୌଲି ବିଧାନସଭା ଆସନରେ ଗତ ୧୦ ବର୍ଷରୁ କ୍ରମାଗତ ଭାବରେ ୧୦୦ ପ୍ରତିଶତରୁ ଅଧିକ ସଚ୍ଚୋଟତାର ସହ କାର୍ଯ୍ୟ କରିଛି । ମହରୌଲିର ଜନତା ଜାଣିଛନ୍ତି, ମୁଁ ସଚ୍ଚୋଟତାର ରାଜନୀତି, ଭଲ ବ୍ୟବହାରର ରାଜନୀତି ଏବଂ କାମର ରାଜନୀତି କରିଛି । କିନ୍ତୁ ଆମ୍ ଆଦମୀ ପାର୍ଟି ଏବେ ସମ୍ପୂର୍ଣ୍ଣ ରୂପେ ଦୁର୍ନୀତିରେ ଲିପ୍ତ ରହିଛି’ ।
କସ୍ତୁରବା ନଗର ବିଧାୟକ ମଦନଲାଲ ନିଜ ଇସ୍ତଫାପତ୍ରରେ ଲେଖିଛନ୍ତି, ‘ଆମ୍ ଆଦମୀ ପାର୍ଟି ଉପରୁ ମୋର ସମ୍ପୂର୍ଣ୍ଣ ଭରସା ତୁଟି ଯାଇଛି । ଏଥିପାଇଁ ମୁଁ ଦଳରୁ ଇସ୍ତଫା ଦେଉଛି’ ।