ଉତ୍ତରପ୍ରଦେଶର ଗାଜିପୁରରେ ଭୀଷଣ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ୧୩ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ଘଟଣାସ୍ଥଳରେ ହିଁ ୬ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ମହାକୁମ୍ଭରୁ ଯାତ୍ରୀମାନଙ୍କୁ ଧରି ଏକ ଗାଡ଼ି ଫେରୁଥିବା ବେଳେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା ।
ଏହି ଦୁର୍ଘଟଣା ଗାଜିପୁରର ନନ୍ଦଗଞ୍ଜ ଥାନା ଅଧୀନ କୁସମୀ କଳା ନିକଟରେ ଘଟିଛି । ଦୁର୍ଘଟଣା ବିଷୟରେ ଖବର ପାଇବା ପରେ ସ୍ଥାନୀୟ ଲୋକ ଏବଂ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ମୃତଦେହଗୁଡ଼ିକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ପଠାଯାଇଛି । ଏଠାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିଛନ୍ତି ଯେ ବାରାଣସୀ-ଗାଜିପୁର-ଗୋରଖପୁର ଫୋରଲେନ୍ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ମହାକୁମ୍ଭରୁ ଫେରୁଥିବା ପିକଅପ୍ ଗାଡ଼ିକୁ ପଛପଟୁ ଏକ ଟ୍ରକ୍ ଜୋରରେ ଧକ୍କା ଦେଇଥିଲା । ଫଳରେ ପିକଅପ୍ ଗାଡ଼ିରେ ବସିଥିବା ଯାତ୍ରୀମାନେ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ । ଏହାପରେ ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ସେମାନଙ୍କ ଉପରେ ମାଡ଼ି ଯାଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା ।
ଗାଜିପୁର ଜିଲ୍ଲାଧିକାରୀ ଆର୍ଯ୍ୟକା ଅଖୌରୀ କହିଛନ୍ତି, ଏହି ସମସ୍ତ ଶ୍ରଦ୍ଧାଳୁ ମହାକୁମ୍ଭରେ ସ୍ନାନ କରି ଫେରୁଥିଲେ । ପିକଅପ୍ ଗାଡ଼ିରେ ମୋଟ ୨୪ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଜୀବନ ଚାଲିଯାଇଛି । ଏଥିରେ ୧୩ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତ ଏବଂ ମୃତକଙ୍କୁ ଗାଜିପୁର ମେଡିକାଲ କଲେଜ ପଠାଯାଇଛି । ଏହି ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଫେରାର୍ ହୋଇଯାଇଛନ୍ତି । ତାଙ୍କୁ ପୋଲିସ ଖୋଜାଖୋଜି କରୁଛି ।
କିଛି ଦିନ ତଳେ ରାୟବରେଲିରେ ମଧ୍ୟ ଏହିପରି ଏକ ସଡ଼କ ଦୁର୍ଘଟଣା ଘଟିଥିଲା । ଏଠାରେ ଏକ ବୋଲେରୋ ଓ ଟ୍ରାକ୍ଟର ମଧ୍ୟରେ ଧକ୍କାରେ ୨ ମହିଳାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ୫ ଜଣ ଆହତ ହୋଇଥିଲେ । ମୃତକମାନେ ଲକ୍ଷ୍ନୌ ତେଲିବାଗର ବଲଦୁ ବିହାର ଦୁର୍ଗା ମନ୍ଦିର ଅଞ୍ଚଳର ବାସିନ୍ଦା ଥିଲେ । ସମସ୍ତେ ମହାକୁମ୍ଭରେ ସଙ୍ଗମ ସ୍ନାନ କରିବାକୁ ପ୍ରୟାଗରାଜ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।