-
- ନୂତନ ପଞ୍ଜିକୃତ ଭୋଟରଙ୍କୁ ପରିଚୟ ପତ୍ର ପ୍ରଦାନ ଏବଂ କୃତୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ବାରିପଦା : ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଜି ୧୫ ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସକାଳ ଘ. ୧୦ ମି ସମୟରେ କଲେକ୍ଟୋରେଟ ପରିସରରୁ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା। ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ବିଭୁତି ଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ବାରିପଦା ଉପଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା, ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଏହି ରାଲିକୁ ଶୁଭାରମ୍ଭ କରିଥିବା ବେଳେ ବହୁ ସଂଖ୍ୟକ ଏନ.ଏସ.ଏସ., ରେଡ କ୍ରସ, ସିଭିଲିଆନ ଦଳର ଛାତ୍ରଛାତ୍ରୀ ଏବଂ ଜନସାଧାରଣଏହି ରାଲିରେ ଯୋଗ ଦେଇଥିଲେ।
ଜାତୀୟ ମତଦାତା ଦିବସ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ସ୍ତରୀୟ ବକ୍ତୃତା ଓ କୁଇଜ଼ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହା ସହିତ ଜିଲ୍ଲାର ବିଭିନ୍ନ ନିର୍ବାଚନୀ ମଣ୍ଡଳରେ ନିର୍ବାଚନ ପ୍ରସ୍ତୁତିରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଅଧିକାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅଧିକାରୀ ମାନଙ୍କ ମଧ୍ୟରୁ ସାରସକଣା ନିର୍ବାଚନ ମଣ୍ଡଳୀରେ ଶ୍ରେଷ୍ଠତ୍ଵ ପ୍ରଦର୍ଶନ କରିଥିବା ଅତିରିକ୍ତ ନିର୍ବାଚନ ଅଧିକାରୀ ଭାବେ ବିଡ଼ିଓ ସାରସକଣା, ସୁମନ ରାଜା ମହାନ୍ତି, ବଡ଼ସାହି ନିର୍ବାଚନ ମଣ୍ଡଳୀ ପାଇଁ ବିଡ଼ିଓ ବଡ଼ସାହି, ସୁଶ୍ରୀ ବନଯା ଦାସ, ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ପାଇଁ, ବିଡ଼ିଓ ସାମାଖୁଣ୍ଟା, ଶ୍ରୀ ମୁନ୍ନା ସେଠୀ, ଏବଂ ମୋରଡା ନିର୍ବାଚନ ମଣ୍ଡଳୀ ପାଇଁ, ବିଡ଼ିଓ ମୋରଡା ଶ୍ରୀ ଅଣାକାର ନାୟକଙ୍କୁ ସମ୍ମାନିତ କରାଯାଇଥିଲା।
ସୂଚନାନୁସାରେ, ଉକ୍ତ ରାଲି, ଭୋଟର ସଚେତନତା ବାର୍ତ୍ତା ତଥା ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ ଓ ପରେ କଲେକ୍ଟୋରେଟ ଠାରେ ଥିବା ସମ୍ମିଳନୀ କକ୍ଷ ଠାରେ ଏକତ୍ରିତ ହୋଇଥିଲେ। ପାଳନ ଦିବସରର ମୁଖ୍ୟ ଅତିଥି ତଥା ଜିଲାପାଳ ଶ୍ରୀ ସୟ ଛାତ୍ରଛାତ୍ରୀଙ୍କ ସହିତ ଜାତୀୟ ମତଦାତା ଦିବସ ପାଳନର ଆଭିମୁଖ୍ୟ ଓ ଭୋଟଦାନ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ ଏବଂ ଏକ ସଂକ୍ଷିପ୍ତ ପ୍ରଶ୍ନୋତ୍ତର ସ୍ପର୍ଦ୍ଧା ଦ୍ୱାରା ନିଜର ଭୋଟଦାନ ସମ୍ପର୍କିତ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସେମାନଙ୍କୁ ସଚେତନ କରାଇବା ସହ ମତଦାନ କରିବାକୁ ଶପଥ ନେଇଥିଲେ।
ଉକ୍ତ ଦିବସ ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ କହିଥିଲେ ଯେ ଗଣତନ୍ତ୍ରର ମୁଖ୍ୟ ଉପାଦାନ ଭାବେ ନାଗରିକର ମତଦାନ ଅଧିକାର ସାବ୍ୟସ୍ତ ସହ ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନ କରାଇବା ଉଦ୍ଦେଶ୍ୟରେ ଆଜିର ଏହି ଦିବସ ପାଳନ କରାଯାଉଛି। ନାଗରିକଙ୍କୁ ମିଳିଥିବା ମତଦାନର ଅଧିକାର ବ୍ୟବହାର ସହ ଭୋଟ ହାର ବୃଦ୍ଧି କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ତତ୍ସହିତ ନୂତନ ଯୁବ ଭୋଟରଙ୍କୁ ଭୋଟଦାନ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ। ଏହା ସହ ଜାତୀୟ ମତଦାତା ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋଚନା କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ, ବାରିପଦା ଡଃ ପରିଡା ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ଓ ଏହି ପାଳନୀୟ ଦିବସର ସମ୍ପୂର୍ଣ୍ଣ ସଂଯୋଜନା ତଥା ସଂଚାଳନା ଡେପୁଟି କଲେକ୍ଟର ଇଲେକ୍ସନ ଶ୍ରୀ ଉମେଶ ଚନ୍ଦ୍ର ଓଝା କରିଥିଲେ।