Hmvp2

‘ନିମୋନିଆ ଭଳି HMPV ର ଲକ୍ଷଣ, ସମାନ ଚିକିତ୍ସା କରାଯିବ’: ସ୍ବାସ୍ଥ୍ୟ ସଚିବ

State

ଭୁବନେଶ୍ବର: ଦେଶରେ ଏବେ ଏଚଏମପିଭିର କାୟା ବିସ୍ତାର କରୁଥିବା ବେଳେ ଏହାକୁ ନେଇ ନଡରିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । କାରଣ ବିଶେଷଜ୍ଞଙ୍କ କହିବାନୁଯାୟୀ, HMPV କେବଳ ଏକ ସାମାନ୍ୟ ଋତୁକାଳୀନ ରୋଗ । ଏଚଏମପିଭି ଆଶଙ୍କା ନେଇ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ଏହି ରୋଗର ଲକ୍ଷଣ ହେଉଛି ଥଣ୍ଡା, ଜ୍ୱର, କାଶ, ତାପରେ ନିମୋନିଆ ହୋଇପାରେ । ଏହି ରୋଗର କୌଣସି ସ୍ଵତନ୍ତ୍ର ଟ୍ରିଟମେଣ୍ଟ ନାହିଁ । ହେଲେ ନିମୋନିଆ ପାଇଁ ଯେଉଁ ଚିକିତ୍ସା କରାଯାଏ, ଏହି ରୋଗ ପାଇଁ ମଧ୍ୟ ସମାନ ଚିକିତ୍ସା କରାଯିବ ।

ଏଥିସହିତ ସଚିବ ଏହା ବି କହିଛନ୍ତି, କୋଭିଡ ସମୟରୁ ସବୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ବ୍ୟବସ୍ଥା ରହିଛି । ସ୍ବାସ୍ଥ୍ୟ ବିଭାଗ ବି ପ୍ରସ୍ତୁତ ଅଛି । ଏଥିପାଇଁ ସର୍ଭେଲାନ୍ସ ଚାଲିଛି । ଏହି ରୋଗର ସିଭିଆରିଟି ସେତେଟା ନାହିଁ । ଏବେ ଜିଲ୍ଲାଗୁଡିକୁ ସର୍ଭେଲାନ୍ସ ନିର୍ଦେଶ ଦିଆଯାଇଛି । ସଂକ୍ରମଣ ସମୟରେ ଔଷଧ ଓ ଅକ୍ସିଜେନ, ଷ୍ଟେରୋଏଡ ମହଜୁଦ ରଖିବାକୁ ହସ୍ପିଟାଲ ଗୁଡିକୁ ନିର୍ଦେଶ ଦିଆଯାଇଥିବା କହିଛନ୍ତି ସଚିବ ।

ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡେଉଁଛି ଏଚଏମପିଭି । ଦେଶରେ ବର୍ତ୍ତମାନ ଏହି ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଅପୂର୍ବ ଚନ୍ଦ୍ରା ଏକ ଉଚ୍ଚସ୍ତରୀୟ ବୈଠକ ଡାକି ପରିସ୍ଥିତିର ସମୀକ୍ଷା କରିଛନ୍ତି । ସେହିପରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟ ସଚିବ ମାନଙ୍କ ସହ ଏକ ବୈଠକରେ ଏହି ଭାଇରସର ମୁକାବିଲା ନେଇ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି । ଅନ୍ୟପଟେ ଏହାକୁ ଗୁରୁତର ସହ ନେଇ ଗୁରୁତ୍ଵପୁର୍ଣ୍ଣ ବୈଠକ ଡାକିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଏଚଏମପିଭିକୁ ନେଇ ଆସନ୍ତା ବୁଧବାର ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ସମସ୍ତ ଜିଲ୍ଲାର ସ୍ଥିତି ଓ ପ୍ରସ୍ତୁତିକୁ ନେଇ କରାଯିବ ଆଲୋଚନା ।