Image 1736477534

ପୂର୍ବତନ ମନ୍ତ୍ରୀଙ୍କ ପୁଅ ବିଶାଳ ଦାସ ଥାନାରେ ଅଟକ

State

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ ଥାନାରେ ଅଟକ। ଛତିଶଗଡ଼ ମହାସମୁଦ୍‌ ଜିଲ୍ଲା ସରେଇପାଲି ଥାନା ପୋଲିସ ବିଶାଳଙ୍କୁ ଅଟକ ରଖିଛି। ଗତକାଲି ବିଳମ୍ବିତ ରାତିରୁ ବିଶାଳ ଅଟକ ଥିବା ସୂଚନା ମିଳିଛି। ତେବେ ଏପରି ଗଣତନ୍ତ୍ର ଚଳିବ ନାହିଁ, ତୁରନ୍ତ ଆମ ମୁକୁଳିବା ବ୍ୟବସ୍ଥା କରନ୍ତୁ ବୋଲି କହି ସେ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି।

ବିଶାଳଙ୍କ ସହ କିଛି ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ଅଟକ ଅଛନ୍ତି। ଆଜି କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ରହିଛି। ପୋଲିସର ଏପରି କାର୍ଯ୍ୟାନୁଷ୍ଠାନ ବେଆଇନ କହିଲେ ବିଶାଳ ଦାସ। ତେବେ ତାଙ୍କୁ କାହିଁକି ଅଟକ ରଖାଯାଇଛି, ସରେଇପାଲି ଥାନା ପୋଲିସର ପ୍ରତିକ୍ରିୟା ମିଳିନି।

ଏପଟେ ଘଟଣାକୁ ଡାର୍ଟି ପଲିଟିକ୍ସ କହିଛନ୍ତି ପୂର୍ବତନ ବିଧାୟିକା ଦିପାଳୀ ଦାସ। ‘ମୋ ଭାଇକୁ ଅଟକ ରଖିବା ଦୁଃଖନୀୟ, ଗଣତନ୍ତ୍ରର ହତ୍ୟା ହୋଇଛି। ଲଇକେରା ପୋଲିସ ଅଟକ ରଖି ଛତିଶଗଡ଼ ପୋଲିସକୁ ହସ୍ତାନ୍ତର କରିଛି। ଅଟକ ସମିତି ସଭ୍ୟ ଓ ସରପଞ୍ଚଙ୍କୁ ଭେଟିବାକୁ ବିଶାଲ ଯାଇଥିଲେ। ରାତି ୧ଟାରୁ ମୋ ଭାଇକୁ ବି ଅଟକ ରଖିଲେ। ସେମାନେ ନିଜସ୍ବ ମତରେ ଆସିଥିବା କହିବା ପରେ ବି ଅଟକ ରଖିଲେ। ଆଜି କିରିମିରାରେ ବ୍ଲକ ଅଧ୍ୟକ୍ଷାଙ୍କ ଅନାସ୍ଥା ପ୍ରସ୍ତାବ ରହିଛି।

ସେମାନେ ଆମକୁ କଲ କରିଥିଲେ। ମୋ ଭାଇ ବିଶାଳ ଦାସ ତାଙ୍କୁ ଭେଟିବାକୁ ଯାଇଥିଲେ। ହେଲେ ଛତିଶଗଡ଼ରେ ସମସ୍ତଙ୍କୁ ଅଟକ ରଖାଯାଇଛି। ସମିତି ସଭ୍ୟମାନେ ଭୋଟ ଦେଇ ନପାରିଲେ ପୋଲିସ ଦାୟୀ ରହିବ।’ ଭୋଟିଂକୁ ଡରି ଏପରି କରାଯାଇଥିବା ବୋଲି ଦିପାଳୀ ଅଭିଯୋଗ କରିଛନ୍ତି।

ଗତକାଲି ସମ୍ବଲପୁର ଅଇଁଠାପାଲିସ୍ଥିତ ବିଶାଳଙ୍କ ହୋଟେଲରେ ଯାଞ୍ଚ କରିଥିଲା ସରେଇପାଲି ଥାନା ପୋଲିସ ସହ ସ୍ଥାନୀୟ ପୋଲିସ୍‌। ସେମାନଙ୍କ ମଧ୍ୟରେ କିଛି ସାଦା ପୋଷାକଧାରୀ ବି ଥିଲେ। ତେବେ ବିନା ସର୍ଚ୍ଚ ୱାରେଣ୍ଟରେ ପୋଲିସ କାହିଁକି ହୋଟେଲରେ ପଶି ଯାଞ୍ଚ କଲା, ସେ ନେଇ ବିଶାଳ ଆପତ୍ତି ଉଠାଇବା ସହ ଉତ୍ତରାଞ୍ଚଳ IG ହିମାଂଶୁ ଲାଲଙ୍କୁ ଭେଟି ଫେରାଦ ହୋଇଛନ୍ତି। ଏହା ପଛରେ କିଛି ରାଜନୈତିକ ଚାପ ଥାଇପାରେ ବୋଲି କହିଛନ୍ତି ବିଶାଳ।