Aj

କୋଣାର୍କରେ ସୂର୍ଯ୍ୟ ମନ୍ଦିର ସହ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଏସ୍. ଜୟଶଙ୍କର

State

ପୁରୀ: ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନରେ ଯୋଗଦେବାକୁ ସୋମବାର ଭୁବନେଶ୍ବର ଆସି ପହଞ୍ଚିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ଏହାପରେ କୋଣାର୍କର ରାମଚଣ୍ଡୀ ମୁହାଣ ନିକଟ ଇକୋ ରିଟ୍ରିଟ୍‌ରେ ଜୟଶଙ୍କର ରାତ୍ରୀଯାପନ କରିବା ପରେ ଆଜି ପ୍ରଥମେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ ।

ଏହାପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ । ସିଂହ ଦ୍ଵାର ନିକଟରେ ପହଞ୍ଚିବା ପରେ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ବରିଷ୍ଠ ସେବାୟତ ଜୟଶଙ୍କରଙ୍କୁ ପାଛୋଟି ନେଇ ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ ।

ଏହି ଅବସରରେ ସେ କହିଛନ୍ତି, ମୋ ପାଇଁ ବଡ ସୌଭାଗ୍ୟର ଦିନ । ପ୍ରବାସୀ ଭାରତୀୟ ଦିବସ ପାଇଁ ଓଡିଶା ସରକାର ଭଲ ପ୍ରସ୍ତୁତି କରିଛନ୍ତି । ଓଡିଶା ମାନଚିତ୍ରକୁ ସାରା ଦୁନିଆରେ ସ୍ଥାନିତ କରିବୁ ।

ଏହା ପରେ ଭୁବନେଶ୍ଵର ଶାନ୍ତିସ୍ତୁପ ଧଉଳି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ, ଆସନ୍ତା ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଉପସ୍ଥିତ ରହିବେ । ୪ ଦିନ ସେ ଓଡ଼ିଶାରେ ରହିବେ । ୧୦ ତାରିଖରେ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି।