Image 2025 01 06t225307.047

ଦୁଇ ବିଜେପି ନେତାଙ୍କୁ ଗାଡ଼ି ଚଢ଼ାଇ ମାରିଥିବା ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେଲା ପୋଲିସ

State

ସମ୍ବଲପୁର: ସତ ବଖାଣିବ ଅଭିଯୁକ୍ତ । ନିଜେ ମାରିଛି ନା ହତ୍ୟା ପଛରେ ଆଉ କାହା ହାତ ଅଛି ତା’ ଉପରୁ ଉଠିବ ପରଦା । ସମ୍ବଲପୁର ଦୁଇ ବିଜେପି ନେତାଙ୍କୁ ଗାଡ଼ି ଚଢ଼ାଇ ମାରିଥିବା ଅଭିଯୁକ୍ତ ପ୍ରସନ୍ନ ଜେନାମଣିକୁ ୩ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ତେବେ ଅଭିଯୁକ୍ତକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ବୁର୍ଲା ପୋଲିସ । କିନ୍ତୁ ଜେଏମଏଫସି କୋର୍ଟ ୩ଦିନିଆ ରିମାଣ୍ଡରେ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ରିମାଣ୍ଡରେ ପଚରାଉଚରା ପରେ ସାମ୍ନାକୁ ଆସିପାରେ ହତ୍ୟାକାଣ୍ଡର ସତ । ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି ଅଭିଯୁକ୍ତ ବାରମ୍ବାର କାର୍‌ ଉପରେ ହାଇୱା ଚଢ଼ାଇଥିଲା । ସେପଟେ ଗୁରୁତର ୨ ବିଜେପି ନେତା ମଧ୍ୟ ସମାନ ବୟାନ ଦେଇଥିଲେ । କିନ୍ତୁ ଏନେଇ ଅଭିଯୁକ୍ତକୁ ପଚାରିବାରୁ ଇଚ୍ଛା ହେଲା ମାରିଦେଲି ବୋଲି କହି ପୋଲିସକୁ ଭୁଆଁ ବୁଲେଇଥିଲେ । ସେପଟେ ଅଭିଯୁକ୍ତର ଫୋନ ମଧ୍ୟ ମିଳିନାହିଁ । ଫୋନ ନେଇ ପଚାରିବାରୁ ଅଭିଯୁକ୍ତ ଜଣଙ୍କ ଫୋନ ବ୍ୟବହାର କରୁନଥିବା ନେଇ କହିଛି । ଯାହାକୁ ନେଇ ପୋଲିସର ସନ୍ଦେହ ବଢିଛି । ତେଣୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ହୋଇଥିବା ଜଣାପଡୁଛି । ଅନ୍ୟପଟେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ବୋଧହୁଏ, ହାଇୱା ଡ୍ରାଇଭର ଅନ୍ୟ କାହାକୁ ମାରିବାକୁ ସୁପାରୀ ନେଇଥିଲା । ଭୁଲବଶତଃ ଏମାନଙ୍କ ଗାଡ଼ିକୁ ପିଛା କରି ଟାର୍ଗେଟ୍ କରିଥିଲା ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ୍‌ ଅଞ୍ଚଳର ୨ ଜଣ ବରିଷ୍ଠ ବିଜେପି‌ ନେତା ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ କର୍ଡୋଲାର ପୂର୍ବତନ ସରପଞ୍ଚ ତଥା ଧନକଉଡ଼ା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷା ସୀତା ଛୁରିଆଙ୍କ ସ୍ବାମୀ ମୁରଲୀଧର ଛୁରିଆଙ୍କୁ ହାଇୱା ଚଢ଼ାଇ ହତ୍ୟା କରିଥିଲା ଅଭିଯୁକ୍ତ ପ୍ରସନ୍ନ ଜେନାମଣି ।