Haribabu

ରାଜ୍ୟର ୨୭ତମ ରାଜ୍ୟପାଳ ଭାବେ ଶପଥ ନେଲେ ଶ୍ରୀ ହରିବାବୁ କମ୍ଭମପତି

State

ଭୁବନେଶ୍ଵର: ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେଲେ ଶ୍ରୀ ହରିବାବୁ କମ୍ଭମପତି । ରାଜ୍ୟର ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ମିଜୋରାମର ପୂର୍ବତନ ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପତି । ରାଜଭବନରେ ଅନୁଷ୍ଠିତ ଭବ୍ୟ ସମାରୋହରେ ନୂତନ ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପତିଙ୍କୁ ଶପଥ ପାଠ କରାଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟ, ବିଧାୟକ ଓ ସାଂସଦ ମାନେ ଉପସ୍ଥିତ ଥିଲେ। ଏହାଛଡ଼ା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବି ଏଥିରେ ଉପସ୍ଥିତ ଥିଲେ।

ଗତ ଡିସେମ୍ବର ୨୪ ତାରିଖରେ ଶ୍ରୀ ହରିବାବୁ କମ୍ଭମପତିଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବରେ ନିଯୁକ୍ତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ଗତକାଲି ଶ୍ରୀ କମ୍ଭମପତି ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ସହ ସ୍ଵାଗତ କରିଥିଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ମଣ୍ଡଳର ସଦସ୍ୟ। ସେଠାରୁ ସେ ପୁରୀ ଯାଇଥିଲେ। ସନ୍ଧ୍ୟାରେ ସପରିବାର ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ ସହ ସାନିଧ୍ୟ ଲାଭ କରିଛନ୍ତି କମ୍ଭମପତି। ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସହ ମା ବିମଳା, ମହାଲକ୍ଷ୍ମୀ ମନ୍ଦିର ସମେତ ମୁକ୍ତିମଣ୍ଡପ ଯାଇ ଆଶିଷ ନେଇଥିବା ବେଳେ ଭିତର ବେଢ଼ା ମଧ୍ୟ ପରିକ୍ରମା କରିଛନ୍ତି। ଓଡ଼ିଶାର ବିକାଶ ଓ ରାଜ୍ୟବାସୀଙ୍କ ଉନ୍ନତି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଗତକାଲି ପୁରୀ ରାଜଭବନରେ ରାତ୍ରିଯାପନ ପରେ ଆଜି ଭୁବନେଶ୍ଵର ଫେରିଥିଲେ । ତା’ପରେ ରାଜଭବନରେ ପହଞ୍ଚି ଶପଥ ଗ୍ରହଣ କରିଥିଲେ ଶ୍ରୀ କମ୍ଭମପତି ।

ଆନ୍ଧ୍ରପ୍ରଦେଶ ବାସିନ୍ଦା ହରିବାବୁ କମ୍ଭମପତି ଦକ୍ଷିଣ ରାଜ୍ୟରେ ଜଣେ ଟାଣୁଆ ରାଜନେତା। ଡକ୍ଟର ହରିବାବୁ କମ୍ଭମପତି ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପୂର୍ବରୁ ସେ ମିଜୋରାମର ରାଜ୍ୟପାଳ ଥିଲେ। ପୂର୍ବରୁ ଶ୍ରୀ କମ୍ଭମପତି ୧୯୯୯ ମସିହାରେ ବିଶାଖାପାଟଣାର ବିଧାୟକ ଭାବେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୧୪ ବିଶାଖାପାଟଣା ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ। ୨୦୨୧ ଜୁଲାଇ ମାସରେ ସେ ମିଜୋରାମର ରାଜ୍ୟପାଳ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ଛାତ୍ର ରାଜନୀତିରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଶ୍ରୀ କମ୍ଭମପତି ୧୯୭୪-୭୫ ମସିହାରେ ଜୟପ୍ରକାଶ ନାରାୟଣ ଆନ୍ଦୋଳନବେଳେ ଗିରଫ ହୋଇ ୬ମାସ ଜେଲ୍ ଯାଇଥିଲେ।

ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାର ଟିମାସମୁଦ୍ରମ ଗାଁରେ ୧୯୫୩ ମସିହା ଜୁନ ୧୫ ତାରିଖରେ କମ୍ଭାମପତି ଜନ୍ମଗ୍ରହଣ କରିଥିଲେ । ଆନ୍ଧ୍ରପ୍ରଦେଶ ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମରେ ମାଷ୍ଟର ଡିଗ୍ରୀ ଓ କଣ୍ଟ୍ରୋଲ ସିଷ୍ଟମରେ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି । ସେ ଆନ୍ଧ୍ରପ୍ରଦେଶ ୟୁନିର୍ଭସିଟି ଇଞ୍ଜିନିୟରିଂ କଲେଜରେ ୨୪ ବର୍ଷ ଧରି ଆସୋସିଏଟ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ ।