Cm

ରାଜଧାନୀରେ ପ୍ରବାସୀ ଭାରତୀୟ ଦିବସ, ସଂପୂର୍ଣ୍ଣ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

State

ଭୁବନେଶ୍ବର : ରାଜଧାନୀରେ ପ୍ରବାସୀ ଭାରତୀୟ ଦିବସ ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ସଂପୂର୍ଣ୍ଣ ପ୍ରସ୍ତୁତିର ସମୀକ୍ଷା ହୋଇଛି । ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଜନତା ମଇଦାନରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀ ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଯୋଗ ଦେଇ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଉଦଘାଟନ କରିବେ ।

ଏହା ସହ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏଥିରେ ଯୋଗଦେବେ । ମୁଖ୍ୟ ଅତିଥି ଭାବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି କ୍ରିଷ୍ଟାଇନ୍ କାର୍ଲ କାଙ୍ଗାଲୁ ଯୋଗଦେବେ । ଏହି ଅବସରରେ ସେ ଚନ୍ଦକା ଗୋଡିବାରି ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବେ । ଏହାକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ ହାଇ ସିକ୍ୟୁରିଟି ଫୋର୍ସ, ୨୫୦ ଟ୍ରାଫିକ ନିୟନ୍ତ୍ରଣକାରୀ ଏବଂ ୧୪୦ ଲିଆଜିନିଂ ଅଫିସରଙ୍କୁ ନିୟୋଜିତ କରାଯାଇଛି ।

ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ହେଉଛି ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ । ଭୁବନେଶ୍ବର ସମାରୋହର ମୁଳାଧାର ବା ଥିମ ରହିବ- ‘ବିକଶିତ ଭାରତ ପାଇଁ ପ୍ରବାସୀ ଭାରତୀୟ ଅବଦାନ’ । ଏହି ସମ୍ମିଳନୀରେ ତିନିଟି ଭାଗ ରହିବ । ଏହି ତିନିଦିନିଆ ମହୋତ୍ସବରେ ବିଭିନ୍ନ ପ୍ରସଙ୍ଗ ଆଧାରରେ ପାଞ୍ଚଗୋଟି ବିଷୟବସ୍ତୁ ଉପରେ ଆଲୋଚନା କରାଯିବାକୁ ସ୍ଥିର ହୋଇଛି । ସେଗୁଡ଼ିକ ରହିବ ।

୧- ପରିସୀମା ବାହାରେ: ବୈଶ୍ବିକ ପୃଥିବୀରେ ପ୍ରବାସୀ ଯୁବ ଭାରତୀୟଙ୍କ ନେତୃତ୍ବ, ୨- ପ୍ରତିବନ୍ଧକ ଭାଙ୍ଗି ସେତୁ ନିର୍ମାଣ: ସ୍ଥାନାନ୍ତର କୌଶଳର କାହାଣୀ, ୩- ସବୁଜ ସଂଯୋଗ: ସ୍ଥାୟୀ ସମାବେଶୀ ବିକାଶରେ ପ୍ରବାସୀଙ୍କ ଅବଦାନ, ୪- ପ୍ରବାସୀ ଦିବସ: ମହିଳା ନେତୃତ୍ବ ଏବଂ ପ୍ରଭାବର ଇସ୍ତାହାର-ନାରୀ ଶକ୍ତି, ୫- ପ୍ରବାସୀ ଭାରତୀୟଙ୍କ ମୁହଁରୁ: ସଂସ୍କୃତି, ସଂଯୋଗ ଓ ସମ୍ପର୍କର କାହାଣୀ ।