Cm Mohan

୪୮ଘଣ୍ଟା ସୁଦ୍ଧା କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ ଓ ଫସଲ କ୍ଷତିର ସଠିକ୍ ଆକଳନ କର: ମୁଖ୍ୟମନ୍ତ୍ରୀ

State

ଭୁବନେଶ୍ବର : ଆସନ୍ତା ୩୦ତାରିଖ ସୁଦ୍ଧା ଅର୍ଥାତ୍ ୪୮ଘଣ୍ଟା ମଧ୍ୟରେ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ପ୍ରକୃତ ଚାଷୀଙ୍କୁ ଚିହ୍ନଟ ସହ ଫସଲ କ୍ଷୟକ୍ଷତିର ସଠିକ୍ ଆକଳନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଯେପରି ଜଣେବି କ୍ଷତିଗ୍ରସ୍ତ ଚାଷୀ ସହାୟତାରୁ ବଂଚିତ ନହେବେ ସେଥିପାଇଁ ଧ୍ୟାନ ଦେବାକୁ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ତାଗିଦ୍ କରିଛନ୍ତି ।
ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଚଳିତମାସ ୨୦ରୁ ୨୮ତାରିଖ ମଧ୍ୟରେ ରାଜ୍ୟରେ ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତିର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଥିଲେ । ବୀମାଭୁକ୍ତ ଚାଷୀ ଓ ବୀମା କରିନଥିବା ଚାଷୀମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଯଥାଶୀଘ୍ର ସହାୟତା ଡିବିଟି ମାଧ୍ୟମରେ ଯୋଗାଇ ଦିଆଯିବ ବୋଲି ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୀମାଭୁକ୍ତ ସମସ୍ତ ଚାଷୀମାନେ ଯେପରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କ୍ଷୟକ୍ଷତି ସମ୍ପର୍କରେ ବୀମା କମ୍ପାନୀଗୁଡ଼ିକୁ ସୂଚନା ଦେବେ ସେଥିପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ପ୍ରାୟ ୧ଲକ୍ଷ ୨୬ହଜାର ଚାଷୀ ଏବେସୁଦ୍ଧା ନିଜ ଫସଲ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇସାରିଛନ୍ତି । ଅନ୍ୟ ବୀମାଭୁକ୍ତ ଚାଷୀମାନେ ଆସନ୍ତାକାଲି ରବିବାର ସୁଦ୍ଧା ନିଜର ଫସଲ କ୍ଷୟକ୍ଷତି ସମ୍ପର୍କରେ ‘କୃଷି ରକ୍ଷକ’ ପୋର୍ଟାଲ ନଚେତ୍ ହେଲପଲାଇନ୍ ନମ୍ବର-‘୧୪୪୪୭’କୁ ଫୋନ୍ କରି ଜଣାଇବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଚାଷୀମାନଙ୍କୁ ନିବେଦନ କରିଛନ୍ତି ।
ଆଜିର ବୈଠକରେ କୃଷି ମନ୍ତ୍ରୀ କେଭି ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମେତ ମୁଖ୍ୟ ସଚିବ ମନୋଜ ଆହୁଜା ଓ ବିଭାଗୀୟ ସଚିବମାନେ ଉପସ୍ଥିତ ଥିଲେ ।