ଭୁବନେଶ୍ବର ୨୬।୧୨: ଓଡ଼ିଶା ଛାଡ଼ିବା ପୂର୍ବରୁ ବିଦାୟୀ ରାଜ୍ୟପାଳ ରଘୁବର ଦାସଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ଅତିଥି ଭବନରେ ବିଦାୟୀ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ରାଜଭବନରେ ବିଦାୟୀ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା ।
ବିଦାୟ ଅବସରରେ ପୂର୍ବତନ ରାଜ୍ୟପାଳ ରଘୁବର ଦାସ କହିଥିଲେ, ୧୪ ମାସ ମହାପ୍ରଭୁଙ୍କ ଭୂମିରେ କାମ କରିବାର ସୁଖଦ ଅନୁଭୂତି ରହିଲା । ଏଠାକାର ଲୋକ ବହୁତ ଭଲ । ମୋର ପୁରା ଭରସା ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଡବଲ୍ ଇଞ୍ଜିନ ସରକାରରେ ଓଡ଼ିଶାର ଆହୁରି ଉନ୍ନତି ହେବ । ପୁଣି ରାଜନୀତିକୁ ଓହ୍ଲାଇବା ପ୍ରସଙ୍ଗରେ ସେ କହିଲେ, କେନ୍ଦ୍ରୀୟ ନେତୃତ୍ବ ଯାହା ନିଷ୍ପତ୍ତି ନେବେ ।
ଓଡ଼ିଶା ଛାଡ଼ିବା ପୂର୍ବରୁ ରାଜ୍ୟ ଅତିଥି ଭବନରେ ବିଦାୟୀ ରାଜ୍ୟପାଳଙ୍କ ସହ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ମୁଖ୍ୟ ଶାସନ ସଚିବ ସମେତ ମନ୍ତ୍ରୀ ମଣ୍ଡଳ ସଦସ୍ୟ ଏବଂ ବରିଷ୍ଠ ଅଧିକାରୀ ମଧ୍ୟାହ୍ନ ଭୋଜନ କରିଥିଲେ ।
ଭୁବନେଶ୍ୱର ବିମାନବନ୍ଦରରେ ବିଦାୟୀ ରାଜ୍ୟପାଳ ରଘୁବର ଦାସଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ସୁରେଶ ପୁଜାରୀ ।