Cold Wave

ଥରିବ ଓଡିଶା, ୬ ଜିଲ୍ଲାକୁ ଘନ କୁହୁଡି ଚେତାବନୀ

State

ଭୁବନେଶ୍ବର: ବେଶ୍ ଦୁଇ ଦିନର ଲଗାଣ ବର୍ଷା ପରେ ଆଜି କିଛି କିଛି ସ୍ଥାନରେ ପାଗ ସ୍ବାଭାବିକ ଦେଖିବାକୁ ମିଳିଛି । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଆଜିଠୁ ବର୍ଷା କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିସହିତ ରାଜ୍ୟରେ ଶୀତର ପ୍ରକୋପ ବଢିବ । ରାଜ୍ୟରେ ଶୀତ ବଢିବା ସହିତ ଚାରିଆଡେ ଘନ କୁହୁଡି ଆଚ୍ଛାଦିତ ହେବ । ଏଥିପାଇଁ ଆଗାମୀ ୨୪ ଘଣ୍ଟା ପାଇଁ  ୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  କୋରାପୁଟ, କନ୍ଧମାଳ, ରାୟଗଡା, କଳାହାଣ୍ଡି, କେନ୍ଦୁଝର ଏବଂ ଝାରସୁଗୁଡାକୁ ଚେତାବନୀ ଦେଇଛି ପାଣିପାଗ । ଏଥିସହିତ ତାପମାତ୍ରା ପ୍ରାୟ ୨ରୁ ୪ ଡିଗ୍ରୀକୁ ଖସିବ ।

ଅପରପକ୍ଷେ ଦକ୍ଷିଣ ଉପକୂଳ ଜିଲ୍ଲାରେ ଆଜି ବି ବର୍ଷା ଲାଗିରହିବ । ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ାରେ ଆଜି ବି ବର୍ଷା ସମ୍ଭାବନା ରହିଛି । ବିଭିନ୍ନ ସ୍ଥାନରେ କୋହଲା ପାଗ ଦେଖାଦେବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରେ ସର୍ବାଧିକ ୭୫ ମିଲିମିଟର୍ ବର୍ଷା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ବରରେ ୫୧.୬ ଏବଂ କଟକରେ ୩୩.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପାଣିପାଗ ବିଭାଗ କହିଛି, ପୂର୍ବରୁ ଦକ୍ଷିଣ, ପଶ୍ଚିମରୁ ଆଭ୍ୟନ୍ତରୀଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତର ପ୍ରଭାବରେ ଆସନ୍ତାକାଲି ଯାଏଁ ବର୍ଷା ହେବ। ଏହା କ୍ରମେ ଦୁର୍ବଳ ହେବା ପରେ ସ୍ତିତି ବଦଳିବ । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଘନ କୁହୁଡ଼ିର ସମ୍ଭାବନା ରହିଛି । ଦିନ ତାପମାତ୍ରା କମିଥିବା ବେଳେ ରାତି ତାପମାତ୍ରା ସ୍ବାଭାବିକଠୁ ଅଧିକ ରହିଛି ।

ଅନ୍ୟପଟେ ୨୭ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଲଘୁଚାପ ରୂପ ନେବା ସମ୍ଭାବନା ରହିଛି । ଏହା କେତେ ଘନୀଭୂତ ଓ କେଉଁ ଆଡ଼କୁ ଗତି କରିବା ତାହା ୨୬ତାରିଖ ବେଳକୁ ସ୍ପଷ୍ଟ ହେବା ନେଇ ସୂଚନା ଦେିଛନ୍ତି ପାଣିପାଗ ବିଭାଗ ।