Bhu2

IIT BHUରେ ୧.୬୫ କୋଟିର ପ୍ଲେସମେଣ୍ଟ, ୧୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ମିଳିଲା ଚାକିରି

National & International

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (IIT) ବିଏଚୟୁ (BHU) ନିଜର ୨୦୨୪ ପ୍ଲେସମେଣ୍ଟ ଋତୁରେ ଏକ ବଡ଼ ଉପଲବ୍ଧି ହାସଲ କରିଛି । ଏଥିରେ ୧୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଚାକିରି ଅଫର ମିଳିଛି । ବାରାଣସୀସ୍ଥିତ IIT BHUର ନାମ ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମଧ୍ୟରେ ଗଣାଯାଏ । ଏବେ ଏଠାରେ କ୍ୟାମ୍ପସ୍ ପ୍ଲେସମେଣ୍ଟ ଚାଲିଛି ଏବଂ ଏକ ନୂତନ ରେକର୍ଡ ସେଟ୍ ହୋଇଥିବା ଜଣାଯାଇଛି ।

ବି-ଟେକ୍ ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ଆଇଆଇଟି ବିଏଚୟୁ ହେଉଛି ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ । ଏହାର କ୍ୟାମ୍ପସ ପ୍ଲେସମେଣ୍ଟର ରେକର୍ଡ ବହୁତ ଭଲ । ପ୍ରତିବର୍ଷ ଏଠାରେ ଶହ ଶହ ମଲ୍ଟି ନ୍ୟାସନାଲ କମ୍ପାନୀ ଚାକିରି ଅଫର ଦିଅନ୍ତି ।

ଚଳିତ ବର୍ଷ ପ୍ଲେସମେଣ୍ଟ ଡ୍ରାଇଭ ସମୟରେ ହାରାହାରି ପ୍ୟାକେଜରେ ପୂର୍ବ ବର୍ଷ ତୁଳନାରେ ଯଥେଷ୍ଟ ବୃଦ୍ଧି ଦେଖିବାକୁ ମିଳିଛି । ସର୍ବାଧିକ ପ୍ଲେସମେଣ୍ଟ ରହିଛି ୧.୬୫ କୋଟି ଟଙ୍କା । ଅନେକ ଛାତ୍ରଛାତ୍ରୀ ୫୦ ଲକ୍ଷରୁ ୭୦ ଲକ୍ଷ ଟଙ୍କା ମଧ୍ୟରେ ପ୍ୟାକେଜ୍ ହାସଲ କରିଛନ୍ତି ।

ଆଇଆଇଟି ବିଏଚୟୁ ପ୍ଲେସମେଣ୍ଟ ଋତୁର ଦ୍ୱିତୀୟ ପର୍ଯ୍ୟାୟ ୨୦୨୫ ଜାନୁୟାରୀ ପ୍ରଥମ ସପ୍ତାହରେ ଆରମ୍ଭ ହେବ ଏବଂ ଏପ୍ରିଲ ୩୦ ପର୍ଯ୍ୟନ୍ତ ଚାଲିବ । ଏହି ପର୍ଯ୍ୟାୟରେ ସରକାରୀ ଏବଂ ଘରୋଇ କମ୍ପାନୀଗୁଡ଼ିକ ଅଂଶଗ୍ରହଣ କରିବେ ।

ପ୍ଲେସମେଣ୍ଟ ଅଭିଯାନର ପ୍ରଥମ ପର୍ଯ୍ୟାୟରେ ୧,୦୭୨ ଚାକିରି ଅଫର ରେକର୍ଡ କରାଯାଇଛି, ଯେଉଁଥିରେ ୧୧୮ ପ୍ରି-ପ୍ଲେସମେଣ୍ଟ ଅଫର ଅନ୍ତର୍ଭୁକ୍ତ । ଟେକ୍ନୋଲୋଜି, ପରାମର୍ଶ ଏବଂ କୋର୍ ଇଞ୍ଜିନିୟରିଂ ଭଳି କମ୍ପାନୀଗୁଡ଼ିକ ପ୍ଲେସମେଣ୍ଟ ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ ।

ଶ୍ରେଷ୍ଠ ନିଯୁକ୍ତିଦାତାମାନଙ୍କ ମଧ୍ୟରେ ଥିଲେ ଗୁଗଲ୍, ମାଇକ୍ରୋସଫ୍ଟ, ଆମାଜନ୍ ଏବଂ ଗୋଲ୍ଡମ୍ୟାନ୍ ସାକ୍, ଯେଉଁମାନେ ପ୍ରତିଯୋଗିତାମୂଳକ ଦରମା ଏବଂ ପ୍ରତିଷ୍ଠିତ ଭୂମିକା ପ୍ରଦାନ କରିଥିଲେ । ପ୍ଲେସମେଣ୍ଟରେ ୧୨ ଅନ୍ତର୍ଜାତୀୟ ଅଫର ମଧ୍ୟ ସାମିଲ ଥିଲା, ଯାହାକି, ଛାତ୍ରଛାତ୍ରୀମାନଙ୍କୁ ପ୍ରତିଷ୍ଠିତ ସଂସ୍ଥାରେ ବିଦେଶରେ କାମ କରିବାର ସୁଯୋଗ ପ୍ରଦାନ କରିଥାଏ ।