Palpala River Near Lulung Similipal National Park 696x391

ଶୀତରେ ଥରୁଛି ସମଗ୍ର ଓଡିଶା; ୫ ଡିଗ୍ରୀ ସହ ରେକର୍ଡ ଭାଙ୍ଗିଲା ଶିମିଳିପାଳ

State

ମୟୂରଭଞ୍ଜ: ରାଜ୍ୟରେ ଏବେ ଶୀତର ଲହରୀ ଜାରି ରହିଛି । ପ୍ରବଳ ଜାଡରେ ଥରୁଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ । ଅଭୟାରଣ୍ୟର ଚହଲା ଏବଂ ଉପର ବାରାକାମୁଡାରେ ଗୁରୁବାର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଫଳରେ ଏହାର ଆଖପାଖ ଅଞ୍ଚଳ ଠାକୁରମୁଣ୍ଡା, କରଞ୍ଜିଆ, ଯଶିପୁର, ଶୁକୃଳି ଓ ରରୁଆ ବ୍ଲକ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି ।

ସକାଳୁ ସକାଳୁ ଘରୁ ବାହାରିବା ମୁସ୍କିଲ ହୋଇଯାଉଛି । ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି । ସନ୍ଧ୍ୟା ହେବା ବେଳକୁ ରାସ୍ତା ଘାଟ ଜନଶୂନ୍ୟ ହୋଇଯାଉଛି । ଆଗାମୀ ଦିନରେ ଶୀତ ଆହୁରି ବଢିବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ପ୍ରବଳ ଶୀତ ସତ୍ବେ ଶିମିଳିପାଳ ଅଭୟାରଣ୍ୟରେ ବନ ବିଭାଗ କର୍ମଚାରୀ ପାଟ୍ରୋଲିଂ କଡାକଡି କରିଛନ୍ତି । ଅନ୍ୟ ପକ୍ଷରେ ଶୁକ୍ରବାର ସୁନ୍ଦରଗଡ଼ରେ ଘନ କୁହୁଡ଼ିର ପ୍ରଭାବ ରହିବାକୁ ଥିବାବେଳେ ଝାରସୁଗୁଡ଼ା, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ଓ ସମ୍ବଲପୁର ଆଦି ଜିଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣ କୁହୁଡ଼ି ହେବ । ୧୫ ତାରିଖ ପର୍ଯ୍ୟନ୍ତ ବରଗଡ଼ ସମେତ ଉପରୋକ୍ତ ଜିଲାଗୁଡ଼ିକରେ କୁହୁଡ଼ି ପ୍ରଭାବ ଦେଖିବାକୁ ମିଳିପାରେ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।