Screenshot 2024 11 29 135551 750x430

ବୋମା ବିସ୍ଫୋରଣ: ଜଣେ ବନ କର୍ମଚାରୀ ଆହତ, ଅଳ୍ପକେ ବର୍ତ୍ତିଲେ ଦୁଇ ପ୍ଲାଟୁନ ପୋଲିସ

State

ବୌଦ୍ଧ: ମାଓ ପ୍ରବଣ ଅଞ୍ଚଳରୁ ଗଞ୍ଜେଇ କାଟି ଫେରୁଥିବା ବେଳେ ବୋମା ବିସ୍ଫୋରଣ। ଦୁର୍ବୃତ୍ତଙ୍କ ବୋମା ବିସ୍ଫୋରଣରେ ଜଣେ ବନ କର୍ମଚାରୀ ଆହତ। ଅଳ୍ପକେ ବର୍ତ୍ତିଲେ ବୌଦ୍ଧ ଥାନା ଅଧିକାରୀ ସମେତ ଦୁଇ ପ୍ଲାଟୁନ ପୋଲିସ ଓ ବନ କର୍ମଚାରୀ । ବୌଦ୍ଧ ଆଦର୍ଶ ଥାନା ବଘିଆପଡ଼ା ଫାଣ୍ଡି ଗୁରୁଜୀମୁଣ୍ଡା ସାଳଦରଙ୍ଗା ନିକଟରେ ଏହି ବିସ୍ଫୋରଣ ହୋଇଛି ।

ସୂଚନା ମୁତାବକ, ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କ ନେତୃତ୍ୱରେ ବୌଦ୍ଧ ପୋଲିସର ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ଓ ୮ ରୁ ୧୦ ଜଣ ବନ କର୍ମଚାରୀ ମିଳିତ ଭାବେ ବଘିଆପଡ଼ା ଫାଣ୍ଡି ଲକଡପାଜୁ ସଂରକ୍ଷିତ ଜଙ୍ଗଲରେ ଗଞ୍ଜେଇ ଗଛକୁ କାଟି ସଫା କରୁଥିଲେ। ସେଠାରୁ ଫେରିବା ସମୟରେ ଗୁରୁଜୀମୁଣ୍ଡା ସାଳଦରଙ୍ଗା ନିକଟରେ ହଠାତ୍ ବୋମା ବିସ୍ଫୋରଣ ହୋଇଥିଲା। ମନମୁଣ୍ଡା ରେଞ୍ଜର ଜଣେ ବନ କର୍ମଚାରୀ ବିସିକେଶନ କର୍ଣ୍ଣଙ୍କ ନିକଟରେ ବୋମା ଫାଟିଥିବା ବେଳେ ସେ ସେଠାରୁ ଛିଟିକି ହୋଇ ପଡ଼ିଥିଲେ।

ଏହା ଦେଖି ସମସ୍ତ ପୋଲିସ କର୍ମଚାରୀ ଏବଂ ବନ କର୍ମଚାରୀ ସେଠାରୁ ଦୌଡ଼ି ପଳାଇଥିବା ବେଳେ ଅନ୍ୟ ଦୁଇଟି ବୋମା ବିସ୍ଫୋରଣରୁ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ଆହତ ବନ କର୍ମଚାରୀଙ୍କୁ ଉଦ୍ଧାର କରି ବୌଦ୍ଧ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଛି। ଏ ନେଇ ଆଦର୍ଶ ଥାନା ଅଧିକାରୀ ରଞ୍ଜିତ ମୁନି ନିଜର ବିଫଳତା ସାମ୍ନାକୁ ଆସିଯିବ ନେଇ ଘଟଣା ଚାପିବାକୁ ଉଦ୍ୟମ କରିଥିବା ବେଳେ ତାଙ୍କୁ ଯୋଗାଯୋଗ କରିବାରୁ ସେ ଏଭଳି କୌଣସି ଘଟଣା ଘଟି ନଥିବା ନେଇ ସିଧାସଳଖ ମନା କରିଦେଇଛନ୍ତି।